ନୂଆଦିଲ୍ଲୀ:ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ । ସେମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର 'ଅପରେସନ ଗଙ୍ଗା' ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ୟୁକ୍ରେନରୁ ଭାରତୀୟଙ୍କୁ କିପରି ଉଦ୍ଧାର କାର୍ଯ୍ୟ ଜାରି ରହିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଲୋଚନା କରିଛନ୍ତି । ଏ ସମ୍ପର୍କରେ ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି ।
ରବିବାର ଅପରେସନ ଗଙ୍ଗାକୁ ନେଇ ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡ଼ାକିଥିଲେ । ଏଥିରେ ୟୁକ୍ରେନର ସ୍ଥିତି ସମ୍ପର୍କରେ ଓ ଫସିଥିବା ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଉଦ୍ଧାର ପାଇଁ ଆଲୋଚନା ହୋଇଥିଲା । ଭାରତ ସରକାର ଯଥାଶୀଘ୍ର ଭାରତୀୟଙ୍କୁ ଫେରାଇ ଆଣିବାକୁ ଯଥାସମ୍ଭବ ଉଦ୍ୟମ କରୁଥିବା ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ଦେଇଥିଲେ । ରବିବାର ୟୁକ୍ରେନ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ଦ୍ବିତୀୟ ଥର ଲାଗି ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ।