ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ ସାରି ଗ୍ରୀସ୍ ଯାଇଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ମଜବୁତ କରିବା ଲାଗି ୟୁରୋପୀୟ ଦେଶର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି(ଶୁକ୍ରବାର) ଗ୍ରୀସରେ ପହଞ୍ଚିଛନ୍ତି । ତେବେ ଦୀର୍ଘ ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ । ୪୦ ବର୍ଷ ପୂର୍ବରୁ ୧୯୮୩ ମସିହାରେ ଶେଷ ଥର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଯାଇଥିଲେ । ସେବେଠୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏହି ୟୁରୋପୀୟ ଦେଶ ଗସ୍ତ କରିନଥିଲେ ।
ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତସୋତାକିସ ନିମନ୍ତ୍ରଣ ରକ୍ଷା କରି ମୋଦି ଗ୍ରୀସ ଗସ୍ତ କରିଛନ୍ତି । ଆଜି ସକାଳେ ସେ ଏଥେନ୍ସ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି । ମୋଦିଙ୍କ ଦିନିକିଆ ଗସ୍ତ ପାଇଁ ଗ୍ରୀସରେ ରହୁଥିବା ପ୍ରବାସୀ ଭାରତୀୟମାନେ ବେଶ୍ ଉତ୍ସାହିତ ଅଛନ୍ତି । ଏଥେନ୍ସରେ ସେ ରହିବାକୁ ଥିବା ହୋଟେଲ ବାହାରେ ପ୍ରବାସୀମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ସମସ୍ତେ ହାତରେ ତ୍ରିରଙ୍ଗା ପତାକା ଓ ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଚାହିଁ ବସିଛନ୍ତି ।
ଏହାମଧ୍ୟ ପଢନ୍ତୁ: Brics Summit 2023: ସଂଗଠନରେ ସାମିଲ ହେବେ 6ଟି ନୂଆ ଦେଶ