ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଦୂରସଞ୍ଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ)ର ରୌପ୍ୟଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରକୁ ଭିସି ଯୋଗେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଟ୍ରାଇର ରୌପ୍ୟଜୟନ୍ତୀ ସମାରୋହକୁ ସମ୍ବୋଧିତ କରିଥିଲେ ମୋଦି । ଏହି ଅବସରରେ ସ୍ୱଦେଶୀ ନିର୍ମିତ 5G ଟେଷ୍ଟବେଡ ଯାହାକୁ ସେ ଦେଶ ଉଦ୍ଦେଶ୍ୟରେ ଆଜି ଉତ୍ସର୍ଗ କରିଛନ୍ତି । ତାହା ଦୂର ସଞ୍ଚାର କ୍ଷେତ୍ରରେ ଜଟିଳ ତଥା ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରର ବିକାଶରେ ବେଶ ସହାୟକ ହେବ । ଆଇଆଇଟି ସମେତ ଏହି ପ୍ରକଳ୍ପ ସହିତ ଯେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି । ଏହା ଦେଶର ଗ୍ରାମାଞ୍ଚଳକୁ 5G ପ୍ରଯୁକ୍ତିବିଦ୍ୟା ପ୍ରସାର ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ସଂଯୋଗକରଣ ଦେଶର ପ୍ରଗତିର ଗତିକୁ ନିର୍ଦ୍ଧାରଣ କରିବ । ସେ ଦୃଷ୍ଟିରୁ ପ୍ରତ୍ୟେକ ସ୍ତରରେ ସଂଯୋଗୀକରଣର ଆଧୁନିକୀକରଣ ଅପରିହାର୍ଯ୍ୟ । 5G ପ୍ରଯୁକ୍ତିବିଦ୍ୟା ଦେଶର ପ୍ରଶାସନ, ଜୀବନ ଧାରଣମାନ ଓ ବ୍ୟବସାୟରେ ବିରାଟ ପରିବର୍ତ୍ତନ ଆଣିବ ବୋଲି । ଏହା ପ୍ରତ୍ୟେକ କ୍ଷେତ୍ର ଯେପରିକି କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଓ ଅନ୍ୟାନ୍ୟ ରଣନୀତିକ କ୍ଷେତ୍ର ଅଭିବୃଦ୍ଧିରେ ସହାୟକ ହେବ । ଏହା ଅନେକ କ୍ଷେତ୍ରରେ ସୁବିଧା ଆଣିବା ସହ ଅନେକ କାର୍ଯ୍ୟରେ ସୁଯୋଗ ସୃଷ୍ଟି କରିବ । 5Gର ଦୃତ ଅଭିବୃଦ୍ଧି ନିମନ୍ତେ ଉଭୟ ସରକାର ଓ ଶିଳ୍ପାନୁଷ୍ଠାନ ଗୁଡିକର ଉଦ୍ୟମ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।