ନୂଆଦିଲ୍ଲୀ:ଆଜି (ରବିବାର) 92ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ଅମୃତ ମହୋତ୍ସବ ଅବସରରେ ହରଘର ତ୍ରିରଙ୍ଗା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ବିଦେଶରେ ଉତ୍ସବ ପାଳନର ମାହୋଲର ସୂଚନା ଦେବା ସହିତ ଏହି ଉତ୍ସବ ୨୦୨୩ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି । ଏହା ସହିତ ଜଳ ସଂରକ୍ଷଣର ଗୁରୁତ୍ବ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶର ମାଣ୍ଡିଆ ଖାଦ୍ୟର ଉତ୍ପାଦନ ବୃଦ୍ଧି କରିବାରୁ ଆହ୍ବାନ ଦେଇଛନ୍ତି । ବିଶ୍ବରେ ମାଣ୍ଡିଆ ଉତ୍ପାଦନରେ ଭାରତ ଆଗରେ ରହିଛି । ଏହାକୁ ସଫଳତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।
ହରଘର ତ୍ରିରଙ୍ଗା ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ମଧ୍ୟରେ ଗୋଟିଏ ଭାବନା ପ୍ରଭାହିତ ହୋଇଥିଲା । ତ୍ରିରଙ୍ଗାର ଗୌରବର ପ୍ରଥମ ପ୍ରହରୀ ସାଜି ଲୋକ ଆଗକୁ ଆସିଥିଲେ । ସ୍ବଚ୍ଛତା ଓ ଟୀକାରଣ ଅଭିଯାନରେ ଦେଶର ଉତ୍ସାହ ଦେଖିବାକୁ ମିଳିଥିଲା । ଅମୃତ ମହୋତ୍ସବରେ ସେହିପରି ଦେଶଭକ୍ତି ଦେଖିବାକୁ ମିଳିଥିଲା । ଉଚ୍ଚ ପାହାଡ ଶିଖରରେ, ଦେଶ ସୀମାରେ ଏବଂ ସମୁଦ୍ର ଅକାତ ପାଣିରେ ଆମ ଯବାନମାନେ ତ୍ରିରଙ୍ଗା ଉଡାଇଥିଲେ । ତ୍ରିରଙ୍ଗା ଅଭିଯାନ ପାଇଁ ଲୋକ ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରିଥିଲେ । ଅମୃତ ମହୋତ୍ସବର ଏହି ରଙ୍ଗ କେବଳ ଭାରତରେ ନୁହେଁ ବରଂ ଦେଶ ବିଦେଶରେ ଦେଖିବାକୁ ମିଳିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ବି ପଢନ୍ତୁ...ଜୟଲଳିତାଙ୍କ ମୃତ୍ୟୁ ମାମଲା, ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କଲା ତଦନ୍ତ କମିଶନ
ଜଳ ସଂରକ୍ଷଣର ଗୁରୁତ୍ବ ବିଷୟରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଲୋଚନା କରିଛନ୍ତି ପିଏମ ମୋଦି । ମଣିଷର ମିତ୍ର ହେଉଛି ଜଳ । ଜଳକୁ ଜୀବନଦାୟିନୀ ବୋଲି କହିଛନ୍ତି ପିଏମ । ଜଳରୁ ଅନ୍ନ ଉତ୍ପନ୍ନ ହୁଏ ସେଥିରୁ ଆମ ସନ୍ତାନଙ୍କ ହିତ ହୁଏ। ଜଳ ଆମକୁ ସୁରକ୍ଷା ପ୍ରଦାନ କରି ସବୁ ବିପଦରୁ ଉଦ୍ଧାର କରିଥାଏ । ସବୁଠୁ ଉତ୍ତମ ଔଷଧ ଜଳ । ପ୍ରଚୀନ ଭାରତରେ ହଜାର ବର୍ଷ ପୂର୍ବେ ଜଳ ସଂରକ୍ଷଣର ମହତ୍ତ୍ବ ବିଷୟରେ ବୁଝାଯାଇଛି। ଅମୃତ ସରୋବରରେ ବିଭିନ୍ନ ସ୍ଥାନରେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପରେ ଅମୃତ ସରୋବର ଏକ ଜନ ଆନ୍ଦୋଳନରେ ପରିଣତରେ ପରିଣତ ହୋଇଛି । ଯେବେ ଦେଶ ପାଇଁ କିଛି କରିବାର ଭାବନା ଆସେ, ଆଗାମୀ ପିଢିଙ୍କ ପାଇଁ ଚିନ୍ତା ଆସେ ସେବେ ସାମର୍ଥ୍ୟ ଆସେ ଓ ସଂକଳ୍ପ ଉଚ୍ଚକୋଟୀର ହୋଇଥାଏ । ତେଲେଙ୍ଗାନାର ୱାରଙ୍ଗଲର ଏକ ଅମୃତ ସରୋବର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଠାରେ ଏକ ନୂଆ ପଞ୍ଚାୟତର ଗଠନ ହୋଇଛି ଯେଉଁଠି ମୌସୁମୀରେ ଗୋଟିଏ ସ୍ଥାନରେ ପାଣିକୁ ସଂରକ୍ଷଣ କରାଯାଇଛି । ଗାଁ ଲୋକଙ୍କ ପ୍ରୟାସ ପାଇଁ ଏହି ସ୍ଥାନକୁ ଅମୃତ ସରୋବର ଜରିଆରେ ବିକଶିତ କରାଯାଇଥିବା କହିଛନ୍ତି ପିଏମ ।
ମାଣ୍ଡିଆ ଉତ୍ପାଦନ ନେଇ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଲୋଚନା କରିଛନ୍ତି । ବିଶ୍ବରେ ମାଣ୍ଡିଆ ଉତ୍ପାଦନରେ ଭାରତ ଆଗରେ ରହିଛି । ଏହାକୁ ସଫଳତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଚାଷୀଙ୍କ ପାଇଁ ମାଣ୍ଡିଆ ବେଶ୍ ଲାଭଦାୟକ । ଏହା ଶରୀର ପାଇଁ ମଧ୍ୟ ଉପକାରୀ । ଜାତିସଂଘ ଏକ ପ୍ରସ୍ତାବ ପାରିତ କରି ବର୍ଷ 2023କୁ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ (International Year Of Millets) ଭାବେ ଘୋଷଣା କରିଛି । ଭାରତର ଏ ପସ୍ତାବକୁ 70ରୁ ଅଧିକ ଦେଶର ସମର୍ଥନ ମିଳିଛି । ଆଜି ଦୁନିଆରେ ମାଣ୍ଡିଆର ଚାଦିଦା ବଢୁଛି । ଆମ କୃଷି, ସଂସ୍କୃତି ଓ ସଭ୍ୟତାର ଅଂଶ ରହି ଆସିଛି ମାଣ୍ଡିଆ । ମାଣ୍ଡିଆରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିଛି। ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି। ମାଣ୍ଡିଆ ଉତ୍ପାଦନ ବୃଦ୍ଧି ଦିଗରେ କାମ କରୁଥିବା ସମସ୍ତଙ୍କ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଇଟିିଭି ଭାରତ, ଭାରତ