ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ଗୁଜରାଟ ସ୍ଥିତ ଆମୋଦ, ଭରୁଚ ଠାରେ ୮ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ମୂଲ୍ୟର ଅନେକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ କିଛି ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ବୁସର ଠାରେ ବଲକ ଡ୍ରଗ ପାର୍କ, ଦହେଜ ଠାରେ ଗଭୀର ସମୁଦ୍ରରେ ପାଇପ ଲାଇନ ପ୍ରକଳ୍ପ, ଅଙ୍କଲେଶ୍ୱର ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ଏବଂ ଅଙ୍କଲେଶ୍ୱର ଏବଂ ପନୋଲିରେ ବହୁ ସ୍ତରୀୟ ଔଦ୍ୟୋଗିକ ସେଡର ବିକାଶର ଭିତି ପ୍ରସ୍ତର ସ୍ଥାପନ କରିଥିଲେ ।
ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଗୁଡିକୁ ମଧ୍ୟ ଉତ୍ସର୍ଗ କରିଥିଲେ, ଯାହା ଗୁଜରାଟରେ ରସାୟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ । ସେହି ପ୍ରକଳ୍ପ ଗୁଡିକ ମଧ୍ୟରେ ଜିଏସିଏଲ ପ୍ଲାଣ୍ଟ, ଭରୁଚ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ଏବଂ ଆଇଓସିଏଲ ଦହେଜ କୋୟାଲି ପାଇପ ଲାଇନ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦି କହିଥିଲେ ଆଜାଦୀର ଅମୃତ ମହୋତ୍ସବ ସମୟରେ ସେ ଭରୁଚ ଆସିଥିବା କଥା କହି କହିଥିଲେ , ଏହି ସ୍ଥାନର ମାଟି ଦେଶର ଅନେକ ସନ୍ତାନଙ୍କୁ ଜନ୍ମ ଦେଇଛି, ଯେଉଁମାନେ ଦେଶର ନାମକୁ ନୂତନ ଶିଖରରେ ପହଞ୍ଚାଇଛନ୍ତି । ସମ୍ବିଧାନ ସଭା (କନ୍ଷ୍ଟିଚ୍ୟୁଏଂଟ ଆସେମ୍ବ୍ଲି)ର ଜଣେ ସଦସ୍ୟ ଏବଂ ସୋମନାଥ ଆନ୍ଦୋଳନରେ ସର୍ଦ୍ଦାର ପଟେଲଙ୍କର ପ୍ରମୁଖ ସାଥୀ କହ୍ନେୟାଲାଲ ମାନିକଲାଲ ମୁନସୀ ଏବଂ ଭାରତୀୟ ସଙ୍ଗୀତର ମହାନ ବ୍ୟକ୍ତିତ୍ୱ ପ. ଓଁକାରନାଥ ଠାକୁରଙ୍କୁ ମଧ୍ୟ ମନେ ପକାଇଥିଲେ । “ଗୁଜରାଟ ଏବଂ ଭାରତର ବିକାଶରେ ଭରୁଚର ମହତ୍ୱପୂର୍ଣ୍ଣ ଭୂମିକା ରହିଛି” ବୋଲି ମୋଦି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ “ଯେତେବେଳେ ଆମେ ଭାରତର ଇତିହାସକୁ ପଢ଼ିଥାଉ, ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥାଉ, ଭରୁଚ ଉପରେ ସର୍ବଦା ଗର୍ବର ସହିତ ଚର୍ଚ୍ଚା କରାଯାଇଥାଏ ।”
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଭରୁଚକୁ ରସାୟନ କ୍ଷେତ୍ର ସହିତ ସମ୍ବନ୍ଧିତ ଅନେକ ପ୍ରକଳ୍ପ ଗୁଡିକ ସହିତ ପ୍ରଥମ ବଲ୍କ ଡ୍ରଗ ପାର୍କ ପ୍ରଦାନ କରାଯାଇଛି । “ସଂଯୋଗ ସହିତ ଯୋଡି ହୋଇଥିବା ଦୁଇ ବୃହତ ପ୍ରକଳ୍ପ ଗୁଡିକୁ ଆଜି ଆରମ୍ଭ କରାଯାଇଛି ।” ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ଅଙ୍କଲେଶ୍ୱରରେ ଭରୁଚ ବିମାନ ବନ୍ଦରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଯାହା ଫଳରେ ଭରୁଚର ଲୋକ ମାନଙ୍କୁ ବରୋଦା ଓ ସୁରଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଭରୁଚ ଏକ ଏମିତି ଜିଲ୍ଲା ଅଟେ, ଯେଉଁଥିରେ, ଦେଶର ଅନ୍ୟ ଛୋଟ ଛୋଟ ରାଜ୍ୟ ଗୁଡିକ ତୁଳନାରେ ଅଧିକ ଉଦ୍ୟୋଗ ରହିଛି । ନୂତନ ବିମାନ ବନ୍ଦର ପ୍ରକଳ୍ପ ସହିତ, ଏହି କ୍ଷେତ୍ର ବିକାଶ ପ୍ରସଙ୍ଗରେ ବହୁତ ଆଗରେ ରହିବାକୁ ବାଧ୍ୟ । “ଏହା ଡବଲ ଇଞ୍ଜିନ ସରକାରର ପରିଣାମ ବୋଲି କହିଥିଲେ ।
ମୋଦି ଆହୁରି କହିଥିଲେ ଯେ, “ଏହା ଗୁଜରାଟର ଏକ ନୂତନ ଚେହେରା ଅଟେ ।” ଗୁଜରାଟ, ଗତ ଦୁଇ ଦଶକ ଗୁଡିକ ମଧ୍ୟରେ, ସମସ୍ତ କ୍ଷେତ୍ରରେ ପଛୁଆ ରାଜ୍ୟରୁ ଏକ ସମ୍ପନ୍ନ ଔଦ୍ୟୋଗିକ ଏବଂ କୃଷି ଉନ୍ନତ ରାଜ୍ୟରେ ପରିବର୍ତ୍ତିତ ହୋଇଛି । ବ୍ୟସ୍ତ ବନ୍ଦର ଏବଂ ଏକ ବିକାଶଶୀଳ ସମୁଦ୍ର ଉପକୂଳ ସହିତ, ଆଦିବାସୀ ଏବଂ ମାଛ ଧରାଳୀ ସମ୍ପ୍ରଦାୟର ଜୀବନରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖା ଦେଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୁଜରାଟର ଲୋକ ମାନଙ୍କର କଠିନ ପରିଶ୍ରମ କାରଣରୁ ଆଜାଦୀର ଅମୃତ ମହୋତ୍ସବରେ ରାଜ୍ୟର ଯୁବଗୋଷ୍ଠୀ ମାନଙ୍କ ନିମନ୍ତେ ଏକ ନୂତନ ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇଯାଇଛି । ନିଜ ବକ୍ତବ୍ୟରେ ଆହୁରି ମଧ୍ୟ କହିଥିଲେ ଯେ, ଆମେ ପ୍ରତିବନ୍ଧକ ମୁକ୍ତ ଏକ ସକ୍ଷମ ପରିବେଶ ସୃଷ୍ଟି କରିବା ଏବଂ ଏହି ସୁଯୋଗକୁ ହାତଛଡା କରିବା ଉଚିତ ନୁହେଁ । ସେ କହିଥିଲେ ଯେ, ଏହି ସ୍ୱପ୍ନ ଗୁଡିକୁ ସାକାର କରିବା ନିମନ୍ତେ ନୀତି ଏବଂ ଉଦ୍ଦେଶ୍ୟ (ନୀତି ଏବଂ ନିୟତ) ଦୁଇଟିର ଆବଶ୍ୟକତା ରହିଛି । ସେ ଭରୁଚରେ ଉନ୍ନତ ଆଇନ ଏବଂ ଶୃଙ୍ଖଳା ସମ୍ପର୍କରେ ମଧ୍ୟ କହିଥିଲେ ।