ଓଡିଶା

odisha

ETV Bharat / bharat

ଗାନ୍ଧୀନଗର ଗିଫ୍ଟ ସିଟିରେ IFSCA ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ - ଗାନ୍ଧିନଗର ଗିଫ୍ଟ ସିଟିରେ ଆଇଏଫଏସସିଏ ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି(ଶୁକ୍ରବାର) ଗାନ୍ଧିନଗର ସ୍ଥିତ ଗିଫ୍ଟ ସିଟି (GIFT City)ରେ ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ସର୍ଭିସ ସେଣ୍ଟର ଅଥରିଟି (International Financial Services Centres Authority) ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ

GIFT City
GIFT City

By

Published : Jul 30, 2022, 7:38 AM IST

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି(ଶୁକ୍ରବାର) ଗାନ୍ଧିନଗର ସ୍ଥିତ ଗିଫ୍ଟ ସିଟି (GIFT City)ରେ ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ସର୍ଭିସ ସେଣ୍ଟର ଅଥରିଟି (International Financial Services Centres Authority) ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଗିଫ୍ଟ-ଆଇଏଫଏସସିରେ ଭାରତ ପ୍ରଥମ ଆନ୍ତର୍ଜାତିକ ବୁଲିୟନ ଏକ୍ସଚେଞ୍ଜ (India International Bullion Exchange)ର ଶୁଭାରମ୍ଭ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଚର ଆଇଏଫଏସସି ଏସଜିଏକ୍ସ କନେକ୍ଟର ଶୁଭାରମ୍ଭ କରାଯାଇଛି ।

ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ ଆଜିର ଦିନଟି ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଟେକନୋଲୋଜି ଶକ୍ତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତ ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧିକୁ ଏହା ପ୍ରମାଣିତ କରୁଛି । ଆଜି ଗିଫ୍ଟ ସିଟିରେ ଆଇଏଫଏସସିଏର ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ‘‘ଏହି ଭବନ ଦେଖିବାକୁ ଯେପରି ଅତି ପ୍ରକାଣ୍ଡ ଓ କମନୀୟ ହେବ, ଭାରତକୁ ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଶକ୍ତିରେ ପରିଣତ କରିବାରେ ସେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୋର ଆଶା । ଏହି ସଂଗଠନ ଇନୋଭେସନକୁ ପ୍ରୋତ୍ସାହିତ କରି ଅଭିବୃଦ୍ଧିର ବାହକ ହେବ । ଆଜି ଯେଉଁ ପ୍ରତିଷ୍ଠାନ ଓ ଫ୍ଲାଟଫର୍ମ ସବୁ ଉଦଘାଟିତ ହୋଇଛି ତାହା ୧୩୦କୋଟି ଭାରତୀୟଙ୍କୁ ଆଧୁନିକ ବିଶ୍ୱ ଅର୍ଥନୀତି ସହ ସଂଯୁକ୍ତ କରିବ । ଏବେ ବିଶ୍ୱ ଅର୍ଥନୀତିକୁ ଦିଗଦର୍ଶନ କରୁଥିବା ଆମେରିକା, ବ୍ରିଟେନ ଓ ସିଙ୍ଗାପରୁ ଭଳି ରାଷ୍ଟ୍ରଙ୍କ ଗହଣରେ ସାମିଲ ହେବାକୁ ଭାରତ ଆରମ୍ଭ କରୁଛି’’ ।

ଗିଫ୍ଟ ସିଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଏହା କେବଳ ବେପାର ବାଣିଜ୍ୟ ପାଇଁ ଉଦ୍ଦିଷ୍ଟ ନୁହେଁ । ମୂଳରୁ ଏହା ସହିତ ଦେଶର ସାଧାରଣ ଜନତାଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଲକ୍ଷ୍ୟ ନିହିତ । ଭାରତର ଭବିଷ୍ୟତର ଲକ୍ଷ୍ୟ ଗିଫ୍ଟି ସିଟି ସହିତ ସମ୍ପୃକ୍ତ ଏବଂ ଭାରତର ସ୍ୱର୍ଣ୍ଣିମ ଅତୀତର ସ୍ୱପ୍ନ ମଧ୍ୟ ଏହା ସହ ଜଡିତ ।’

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘୨୦୦୮ରେ ସମଗ୍ର ବିଶ୍ୱ ଯେତେବେଳେ ଗୁରୁତର ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲା ସେତେବେଳେ ଭାରତରେ ନୀତିଗତ ପକ୍ଷାଘାତର ସ୍ଥିତି ଦେଖାଦେଇଥିଲା । ମାତ୍ର ସେହି ସମୟରେ ଗୁଜରାଟ ନୂଆ ପଦକ୍ଷେପ ମାନ ଗ୍ରହଣ କରିଥିଲା । ଫିନଟେକ କ୍ଷେତ୍ରରେ ନୂଆ ପ୍ରୟାସ ବଡ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲା । ସେହି ବିଚାର ଓ ପ୍ରୟାସ ଆଜି ସଫଳ ହୋଇଛି ।’

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ‘ଯୁଗ ବଦଳିବା ସହିତ ଭାରତ ବଦଳୁଛି ଏବଂ ନୂଆ ଭାରତ ବେପାର ବାଣିଜ୍ୟ, ଅର୍ଥ, ଟେକନୋଲୋଜି କ୍ଷେତ୍ରରେ ସମଗ୍ର ବିଶ୍ୱ ସହିତ ଦ୍ରୁତଗତିରେ ଯୋଡି ହେଉଛି । ବିଶ୍ୱ ବଜାର ସହିତ ସମନ୍ୱିତ ହେବା ଉପରେ ଏବେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ । ଆମେ ମଧ୍ୟ ଏବେ ବିଶ୍ୱବଜାର ଓ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳା ସହିତ ଦ୍ରୁତଗତିରେ ଯୋଡି ହେବାରେ ଲାଗିଛୁ । ଭାରତୀୟ ଆନ୍ତର୍ଜାତିକ ସୁବିଧା ସୁଯୋଗ ସହିତ ସଂଯୋଜିତ ହେବାରେ ଗିଫ୍ଟସିଟି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ଦ୍ୱାରା ପାଲଟିଛି । ସମଗ୍ର ବିଶ୍ୱ ସହିତ ଆମେ ସଂଯୋଜିତ ହୋଇପାରୁଛୁ ।’

‘ବିଶ୍ୱର ଅର୍ଥନୀତିକ ସଙ୍କଟ ଓ ଯୋଗାଣ ଶୃଙ୍ଖଳା ବିଘ୍ନିତ ହେବା ସମୟରେ ଭାରତ ସାରା ପୃଥିବୀକୁ ଉଚ୍ଚ ମାନର ସାମଗ୍ରୀ ଓ ସେବା ଯୋଗାଇ ଦେବାରେ ସଫଳ ହୋଇଥିଲା । ଏକବିଂଶ ଶତାବ୍ଦୀ ଅର୍ଥ ଓ ଟେକନୋଲୋଜିର ଯୁଗ । ଏହି ଦୁଇ କ୍ଷେତ୍ର ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ରହିଛି । ଟେକନୋଲୋଜି, ବିଜ୍ଞାନ ଓ ସଫ୍ଟଓୟାର କ୍ଷେତ୍ରରେ ଭାରତର ଉଭୟ ଅଗ୍ରଣୀ ଓ ଅଭିଜ୍ଞ । ତେଣୁ ଏହି ଶକ୍ତି ଓ ସାମର୍ଥ୍ୟର ଶ୍ରେଷ୍ଠ ଉପଯୋଗ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।’

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଆଶାବ୍ୟକ୍ତ କରିଛନ୍ତି ଯେ, ‘ଗିଫ୍ଟ - ଆଇଏଫଏସସି ଫିନଟେକ କ୍ଷେତ୍ରରେ ବୈଶ୍ୱିକ ପ୍ରୟୋଗଶାଳାରେ ପରିଣତ ହେବ ଏବଂ ଇନେଭେସନ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିବ । ବିଶ୍ୱର ଅର୍ଥ ଓ ବାଣିଜ୍ୟ ବ୍ୟବସ୍ଥାରେ ନୂଆ ମାନ ଓ ନିୟାମକ ସ୍ଥାପନ କରି ଆଇଏଫଏମସିଏ ବିଶ୍ୱର ମନ ପସନ୍ଦରେ ଆର୍ବିଟେସନ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିବ’ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି । କହିଛନ୍ତି ଯେ ଦୁବାଇ ଓ ସିଙ୍ଗାପୁର ଭଳି ଦେଶଠୁ ଏକ୍ଷେତ୍ରରେ ଭାରତକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିବାକୁ ହେବ ।

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟମନ୍ତ୍ରୀ, କୂଟନୀତିଜ୍ଞ, ବିଶିଷ୍ଟ ବ୍ୟବସାୟୀ ଓ ଉଦ୍ୟୋଗଜଗତର ନେତାଗଣ ଉପସ୍ଥିତ ଥିଲେ ।

ABOUT THE AUTHOR

...view details