ନୂଆଦିଲ୍ଲୀ: ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରିବା ପାଇଁ ଆଜି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆଲୋଚନା ହୋଇଛି । ଏଥିଲାଗି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ ଜଣ ମନ୍ତ୍ରୀଙ୍କୁ ମୋଦି ପଠାଇବେ । ଏହି ମନ୍ତ୍ରୀ ସେଠାରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ ବୋଲି ଜଣାପଡିଛି ।
ଏହି ୪ ମନ୍ତ୍ରୀ ମାନଙ୍କ ମଧ୍ୟରେ ରହିଛନ୍ତି ହରଦୀପ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରନ ରିଜ୍ଜୁ ଓ ଭି. କେ ସିଂ । ଏହି ମନ୍ତ୍ରୀମାନେ ଭାରତର 'ସ୍ବତନ୍ତ୍ର ଦୂତ' ଭାବରେ ସେଠାକୁ ଯିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସମେତ ଅନେକ ମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ। ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର 'ଅପରେସନ ଗଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି ।