ନୂଆଦିଲ୍ଲୀ: କୋଭିଡ ସଙ୍କଟ ଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗଠିତ ହୋଇଥିଲା ପିଏମ୍ କେୟାର୍ସ ପାଣ୍ଠି(PM CARES Fund) । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପାଣ୍ଠିକୁ ମୋଟ ୧୦,୯୯୦ କୋଟି ଟଙ୍କା ଆସିଥିଲା । ଯାହା ମଧ୍ୟରୁ କେବଳ ୩,୯୭୬ କୋଟି ଖର୍ଚ୍ଚ ହୋଇଛି । ବାକି ୭,୦୧୪ କୋଟି ଅର୍ଥ ବ୍ୟବହାର ହୋଇପାରିନାହିଁ । ତାଜା ଅଡିଟ୍ ରିପୋର୍ଟରେ ଏହା କୁହାଯାଇଛି ।
ମୋଟ ଅନୁଦାନ ମଧ୍ୟରେ ବିଦେଶୀ ପାଣ୍ଠି ପରିମାଣ ୪୯୪.୯୧ କୋଟି ଟଙ୍କା ରହିଥିବା ବେଳେ ୭,୧୮୩ କୋଟି ଟଙ୍କା ସ୍ବେଚ୍ଛାକୃତ ଅନୁଦାନ ଅଟେ । ୨୦୧୯-୨୦ ବର୍ଷରେ ପିଏମ୍ କେୟାର୍ସ ଫଣ୍ଡ ଗଠନ ହେବାର ମାତ୍ର ୫ ଦିନ ଭିତରେ ଏହି ପାଣ୍ଠିରେ ମୋଟ 3,076.62 କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ୨୦୨୦ରେ ମୋଦି ସରକାଙ୍କ ପକ୍ଷରୁ PM CARES Fund ପାଣ୍ଠି ଗଠନ ହୋଇଥିଲା । ଏହି ପାଣ୍ଠି ସମ୍ପୂର୍ଣ୍ଣ ବ୍ୟକ୍ତିବିଶେଷ ତଥା ସଙ୍ଗଠନରୁ ପ୍ରାପ୍ତ ସ୍ବେଚ୍ଛାକୃତ ଅବଦାନକୁ ନେଇ ଗଠିତ । ଏହାକୁ କୌଣସି ବଜେଟ୍ ସହାୟତା ମିଳିନଥାଏ ।
ଅଡିଟ୍ ବିବୃତ୍ତି ଅନୁଯାୟୀ, ମୋଟ ୧୦,୯୯୦ କୋଟି ଟଙ୍କାରୁ ବର୍ଷକ ମଧ୍ୟରେ ୬.୬ କୋଟି କୋଭିଡ୍ ଟିକା କିଣିବା ପାଇଁ ୧,୩୯୨.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୫୦,୦୦୦ ଭାରତ ତିଆରି( made-in-India ) ଭେଣ୍ଟିଲେଟର କିଣିବା ଲାଗି ୧,୩୧୧ କୋଟି ବ୍ୟୟ କରାଯାଇଥିବାବେଳେ ବିହାରର ମୁଜାଫରପୁର ଓ ପାଟନାରେ ଦୁଇଟି ୫୦୦ ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ଓ ଆରଟିପିସିଆ ପରୀକ୍ଷା ପାଇଁ ୯ଟି ରାଜ୍ୟରେ ୧୬ଟି ଲ୍ୟାବ୍ ନିମନ୍ତେ ୫୦ କୋଟି ଖର୍ଚ୍ଚ କରାଯାଇଛି । ସେହିପରି ୧୬୨ଟି ଅକ୍ସିଜେନ ଜେନେରେସନ ପ୍ଲାଣ୍ଟ ପାଇଁ ୨୦୧.୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରବାସୀ ଜନସାଧାରଣଙ୍କ କଲ୍ୟାଣ ପାଇଁ ୧,୦୦୦ କୋଟି ଟଙ୍କା ବଣ୍ଟନ କରାଯାଇଛି । ସରକାରୀ ଲ୍ୟାବ୍ଗୁଡିକକୁ ଅତ୍ୟାଧୁନିକ ଲ୍ୟାବ୍ରେ ପରିଣତ କରିବା ପାଇଁ ୨୦.୪୧ କୋଟି ଟଙ୍କା ଯାଇଛି । ଏହାବ୍ୟତୀତ ୧.୦୧ ଲକ୍ଷ ବ୍ୟାଙ୍କ ଚାର୍ଜ ବାବଦରେ ବ୍ୟୟ କରାଯାଇଛି ।
ମାର୍ଚ୍ଚ ୩୧, ୨୦୨୧ ଯାଏଁ ପାଣ୍ଠିର କୋଜିଂ ବାଲାନ୍ସ ୭,୦୧୩.୯୯ କୋଟି ଥିଲା, ଯାହାକି ଏହା ବର୍ଷକ ପୂର୍ବରୁ ମିଳିଥିବା ଅନୁଦାନର ଦୁଇ ଗୁଣା ଅଧିକ । ୨୦୨୦-୨୧ ବର୍ଷରେ ପିଏମ୍ କେୟାର୍ସ ପାଣ୍ଠିକୁ ମୋଟ ୧୦,୯୯୦.୧୭ କୋଟି ଟଙ୍କା ଆସିଛି । ଏନଡିଏମଏ(NDMA)ରୁ ପକ୍ଷରୁ ପ୍ରାପ୍ତ ସୁଧ ଆୟ ମଧ୍ୟ ଏଥିରେ ସାମିଲ ରହିଛି ।