କୋଭିଡ ମୁକାବିଲା ନେଇ ବଡ ପଦକ୍ଷେପ; ଦେଶରେ ସ୍ଥାପନ ହେବ 551 ଅମ୍ଲଜାନ ପ୍ଲାଣ୍ଟ - ଅମ୍ଲଜାନ ପ୍ଲାଣ୍ଟ
ସାର୍ବଜନୀନ ସ୍ବାସ୍ଥ୍ୟ ସେବାକୁ ସୁ-ନିଶ୍ଚିତ କରିବା ପାଇଁ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ପିଏମଓ ଘୋଷଣା କରିଛି । ଏଥି ପାଇଁ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଅର୍ଥ ପିଏମ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ । ଅଧିକ ପଢନ୍ତୁ...
ନୂଆଦିଲ୍ଲୀ: ଦେଶରେ ଅମ୍ଲଜାନ ସଂକଟ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବଡ ପଦକ୍ଷେପ । ସାରା ଦେଶରେ ନିର୍ମାଣ ହେବ 551 ଟି PSA ଅମ୍ଲଜାନ ପ୍ଲାଣ୍ଟ । ସାର୍ବଜନୀନ ସ୍ବାସ୍ଥ୍ୟ ସେବାକୁ ସୁ-ନିଶ୍ଚିତ କରିବା ପାଇଁ ଏହି ସମସ୍ତ ପ୍ଲାଣ୍ଟ ସ୍ଥାପନ କରିବାକୁ ପିଏମଓ ଘୋଷଣା କରିଛି । ଏଥି ପାଇଁ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଅର୍ଥ ପିଏମ କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ।
ପିଏମଓର ସୂଚନା ଅନୁସାରେ ନିର୍ମାଣ ହେବାକୁ ଥିବା ସମସ୍ତ ପ୍ଲାଣ୍ଟ ଗୁଡିକ ଯଥା ଶିଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ଉତ୍ସର୍ଗୀକୃତ ପ୍ଲାଣ୍ଟ ଗୁଡିକ ଦେଶର ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଓ ଜିଲ୍ଲା ମୁଖ୍ୟାଳୟରେ ସ୍ଥାପନ ହେବ । ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କରିବ ।
ପିଏମଓ କହିଛି ଜିଲ୍ଲା ମୁଖ୍ୟାଳୟ, ସରକାରୀ ଡାକ୍ତରଖାନାରେ ଏହି ପ୍ଲାଣ୍ଟ ସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ସାର୍ବଜନିକ ସ୍ବାସ୍ଥ୍ୟ ସେବାକୁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ କରିବା । ଯେମିତି ଜିଲ୍ଲା ସ୍ତରରୁ ହସ୍ପିଟାଲ ଗୁଡିକରେ ଅମ୍ଲଜାନ ମହଜୁତ ମିଳିବ ତାହାକୁ ଗୁରୁତ୍ବ ଦିଆଯାଇଛି । ପିଏମଓ ଆହୁରି କହିଛି ଯେ ଏହି ସମସ୍ତ ପ୍ଲାଣ୍ଟ ଗୁଡିକ ଦୈନନ୍ଦିନ ଜିଲ୍ଲା ଓ ଗ୍ରାମାଞ୍ଚଳରେ ଆବଶ୍ୟକ ପଡୁଥିବା ଅମ୍ଲଜାନ ଅଭାବକୁ ପୂରଣ କରିବ । ଏହାବାଦ ଲିକ୍ବିଡ ମେଡିକାଲ ଅକ୍ସିଜେନ ଏକ ଟପଅପ ଭାବରେ କାମ କରିବ। ଏଥିସହ ସଂକଟ ବେଳେ କୋଭିଡ ରୋଗୀଙ୍କୁ ଏହି ପ୍ଲାଣ୍ଟ ଗୁଡିକ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଇବେ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବରୁ 160 ଟି ଉତ୍ସର୍ଗୀକୃତ PSA ମେଡିକାଲ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ ପାଇଁ କେନ୍ଦ୍ର ସରକାର ପିଏମ କେୟାର ଫଣ୍ଡରୁ 201.58 କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି । ତେବେ ସେହି ପ୍ଲାଣ୍ଟ ଗୁଡିକ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ