ଶିମଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଶିମଲା ଠାରେ “ଗରିବ କଲ୍ୟାଣ ସମ୍ମିଳନୀ’’କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଦେଶରେ ସବୁ ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ କରାଯାଇଛି । ଏହି ସମ୍ମିଳନୀ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ହିତାଧିକାରୀଙ୍କ ସହିତ ଜନ ପ୍ରତିନିଧିମାନେ ଆଲୋଚନା କରିଥିଲେ । ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ମୋଦି।
ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୧୧ ତମ କିସ୍ତି ଜାରି କରିଥିଲେ । ୧୦ କୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କ ଆକାଉଣ୍ଟକୁ ପ୍ରାୟ ୨୧ ହଜାର କୋଟି ଟଙ୍କା ଯାଇଥିଲା । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପିଏମ କିସାନ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ଲଦାଖର ହିତାଧିକାରୀ ତାଶୀ ତୁଣ୍ଡୁପଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଲଦାଖରେ ପର୍ଯ୍ୟଟକ ପହଞ୍ଚିବା ଏବଂ ସରକାରୀ ଯୋଜନା ସମ୍ପର୍କରେ ତାଙ୍କର ଅନୁଭୂତି ଜାଣିବାକୁ ଚାହିଁଥିଲେ । ସେନାବାହିନୀର ସଦସ୍ୟ ଭାବେ ତାଙ୍କର ସେବାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ତାଶୀ ତୁଣ୍ଡୁପ କହିଥିଲେ ଯେ ପିଏମଏଓ୍ବାଇ, ଶୌଚାଳୟ, ଗ୍ୟାସ ସଂଯୋଗ ଏବଂ କୃଷି ସଂକ୍ରାନ୍ତ ଲାଭ ଭଳି ଯୋଜନାର ସୁଫଳ ପାଇବାରେ ସେ କୌଣସି ସମସ୍ୟାର ସମ୍ମୁଖିନ ହୋଇନାହାନ୍ତି ।
ସମାବେଶକୁ ସମ୍ବୋଧିତ କରି ମୋଦି କହିଥିଲେ ହିମାଚଳ ପ୍ରଦେଶରେ ଏହି ସ୍ମରଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ବହୁତ ଖୁସି । ପିଏମ କିଷାନ ସମ୍ମାନ ନିଧି ଜରିଆରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଆର୍ଥିକ ସହାୟତା ପାଇଥିବା ୧୦ କୋଟି ଚାଷୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସରକାରଙ୍କର ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ପିଏମ କେୟାର୍ସ ଫର ଚିଲଡ୍ରେନ ଯୋଜନା ଅଧୀନରେ ଲାଭ ହସ୍ତାନ୍ତର କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଶିମଲା ଠାରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନାର ଲାଭ ହସ୍ତାନ୍ତର କରୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ୧୩୦ କୋଟି ନାଗରିକଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ, କରୋନା ମହାମାରୀ କାରଣରୁ ଅନାଥ ହୋଇଥିବା ପିଲାଙ୍କର ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ସେ ନିଜକୁ ୧୩୦ କୋଟି ନାଗରିକଙ୍କ ଜଣେ ପରିବାର ସଦସ୍ୟ ଭାବେ ବିବେଚନା କରିଥାନ୍ତି । କେବଳ ଫାଇଲରେ ଦସ୍ତଖତ କରିବା ସମୟରେ ସେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥାନ୍ତି । ସେହି ମୁହୂର୍ତ୍ତ ବିତିଯିବା ପରେ ସେ ଆଉ ପ୍ରଧାନମନ୍ତ୍ରୀ ହୋଇ ରହିନଥାନ୍ତି, ବରଂ ସବୁ ଦେଶବାସୀଙ୍କ ପରିବାର ସଦସ୍ୟ ଏବଂ ୧୩୦ କୋଟି ଭାରତୀୟଙ୍କ ପ୍ରଧାନ ସେବକ ହୋଇଯାଆନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦି ମୁଁ ଦେଶ ପାଇଁ କିଛି କରିପାରୁଛି ତା’ହେଲେ ଏହା ୧୩୦ କୋଟି ଦେଶବାସୀଙ୍କ ଆଶୀର୍ବାଦ ଓ ଶୁଭକାମନା କାରଣରୁ ସମ୍ଭବ ହୋଇପାରିଛି । ଭାବପ୍ରବଣ ହୋଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “୧୩୦ କୋଟି ନାଗରିକଙ୍କୁ ନେଇ ମୋ ପରିବାରର ଆଶା ଆକାଂକ୍ଷା ସହ ଯୋଡିହେବା ହିଁ ହେଉଛି ମୋ ପରିବାର, ଆପଣମାନେ ମୋ ଜୀବନରେ ସବୁକିଛି । ଏ ଜୀବନ ଆପଣମାନଙ୍କ ପାଇଁ ସମର୍ପିତ । ସରକାରର ୮ ବର୍ଷ ପୂରଣ ହେବା ଅବସରରେ ମୁଁ ପୁଣିଥରେ ଏହି ସଂକଳ୍ପକୁ ଦୋହରାଉଛି ଯେ ମୁଁ ମୋ ସାମର୍ଥ୍ୟ ଅନୁଯାୟୀ, ସମସ୍ତଙ୍କ କଲ୍ୟାଣ ପାଇଁ, ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ ପାଇଁ, ସବୁ ଭାରତୀୟଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ପାଇଁ କାର୍ଯ୍ୟ ଜାରି ରଖିବି ବୋଲି କହିଛନ୍ତି ।
କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲକେର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ହିମାଚଳ ସରକାରଙ୍କ ମନ୍ତ୍ରୀ, ବିଧାୟକ, ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ ।
@ANI