ଥିରୁଅନନ୍ତପୁରମ: ଟୀକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ମାମଲା । ପ୍ରମାଣପତ୍ରରୁ PMଙ୍କ ଫଟୋ ହଟାଇବା ନେଇ କେରଳ ହାଇକୋର୍ଟରେ ଦାଖଲ ପିଟିସନକୁ ଖାରଜ କଲେ କୋର୍ଟ(Plea to remove PM photo from jab certificate dismissed) । ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଅଟନ୍ତି । ତେଣୁ ଯଦି ଦେଶର ପ୍ରଧାନମନ୍ତ୍ରୀଙ୍କ ଫଟୋ ସାର୍ଟିଫିକେଟରେ ରହୁଛି ତେବେ ଏହା କୌଣସି ଲଜ୍ଜାଜନକ ବିଷୟ ନୁହେଁ । ମଙ୍ଗଳବାର ଉକ୍ତ ପିଟିସନର ଶୁଣାଣି କରି ଏଭଳି କହିଛନ୍ତି କେରଳ ହାଇକୋର୍ଟ । ଆବେଦନକୁ ଖାରଜ କରିବା ସଙ୍ଗେ ସଙ୍ଗେ କୋର୍ଟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ।
ଏଭଳି ପିଟିସନ କେବଳ ଫେମ୍ ଉଦ୍ଦେଶ୍ୟରେ ଫାଇଲ କରାଯାଇଛି । ଲୋକଙ୍କ ସ୍ବାର୍ଥ ସହ ଏହାର କୌଣସି ସମ୍ପର୍କ ନାହିଁ । ପ୍ରମାଣପତ୍ରରେ ପିଏମଙ୍କ ଫଟୋ ନେଇ ଯଦି ୧୦୦ କୋଟି ଲୋକଙ୍କ କୌଣସି ଆପତ୍ତି ନାହିଁ ତେବେ ତୁମର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ନ୍ୟାୟାଳୟ । କୋର୍ଟ ପାଖରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପଡିରହିଛି । ତେଣୁ ଏଭଳି ଭିତ୍ତିହୀନ ଆବେଦନକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି HC । ଏଥିସହ ଆସନ୍ତା ୬ ମାସ ମଧ୍ୟରେ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।