ନୂଆଦିଲ୍ଲୀ: କୋରୋନା ଦ୍ବିତୀୟ ଲହରର ଭୟାବହତା ଦେଶବ୍ୟାପୀ ଲାଗି ରହିଛି । ଗୋଟିଏ ପଟେ ସଂକ୍ରମଣ ବଢୁଥିବାବେଳେ ହସ୍ପିଟାଲଗୁଡିକରେ ଶଯ୍ୟା, ଅକ୍ସିଜେନ ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣର ଅଭାବ ବୋଝ ଉପରେ ନଳିତା ବିଡା ସାଜିଛି । ଏପରି ସ୍ଥିତିରେ କୋରୋନା ଟିକାର ସଂରକ୍ଷଣ, ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପକରଣ ସମସ୍ତ ଜିଲ୍ଲା ଚିକିତ୍ସାଳୟଗୁଡିକରେ ଉପଲବ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ବ୍ୟବହାର କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି ।
ଆଇନଜୀବୀ ବିପ୍ଲବ ଶର୍ମାଙ୍କ ଦ୍ବାରା ଦାଖଲ ଏହି ପିଟିସନରେ 738 ଜିଲ୍ଲା ମେଡିକାଲ ଯେଉଁଠି କୋରୋନା ରୋଗୀ ମାଗଣା ଚିକିତ୍ସିତ ହେଉଛନ୍ତି, ସେସବୁ ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ, ଜେନେରେଟର ଏବଂ ଅନ୍ୟ ଚିକିତ୍ସା ସମ୍ବନ୍ଧୀୟ ଯନ୍ତ୍ରପାତି ସ୍ଥାପନ କରିବାକୁ ଉଲ୍ଲେଖ ରହିଛି ।