ଭୋପାଳ:ମଧ୍ୟ ପ୍ରଦେଶର ବାଲାଘାଟ ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ଲାନଜୀ ଏବଂ କିର୍ନାପୁର ମଧ୍ୟବର୍ତ୍ତୀ ଜଙ୍ଗଲରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଜଣେ ମହିଳା ପ୍ରଶିକ୍ଷାର୍ଥୀ ପାଇଲଟ ଓ ତଙ୍କର ସହଯୋଗୀ ପ୍ରଶିକ୍ଷକଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ବିମାନ ଉଡାଣ ପ୍ରଶିକ୍ଷକ ମୋହିତ ଏବଂ ମହିଳା ପ୍ରଶିକ୍ଷାର୍ଥୀ ପାଇଲଟ୍ ବରସୁକା ନାମ୍ନୀ ଜଣେ ମହିଳା ବୋଲି ଜଣାପଡିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ତାଲିମ ଉଦ୍ଦଶ୍ୟରେ ଉଡାଣ ଭରିଥିବା ବିମାନଟି ଅପରାହ୍ନ ପ୍ରାୟ 3ଟା ସମୟରେ କ୍ରାସ ହୋଇ ଖସିପଡିଥିଲା । ବିମାନଟି ସମ୍ପୂର୍ଣ୍ଣ ଜଳିଯିବା ସହ ଦୁଇ ପାଇଲଟ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ସୂଚନା ଅନୁସାରେ, ମହାରାଷ୍ଟ୍ରର ବିର୍ସି ଏୟାର ଷ୍ଟ୍ରିପରୁ ଏହି ବିମାନଟି ଉଡ଼ାଣ କରିଥିଲା । ଏହାକୁ ଜଣେ ମହିଳା ପ୍ରଶିକ୍ଷାର୍ଥୀ ଓ ଜଣେ ପ୍ରଶିକ୍ଷକ ପାଇଲଟ ଉଡାଉଥିଲେ । ଉଡାଣ ବରିବାର ମାତ୍ର 15 ମିନିଟ ପରେ ଏହା ମଧ୍ୟ ପ୍ରଦେଶର ଲାନଜୀ ଏବଂ କିର୍ନାପୁର ମଧ୍ୟବର୍ତ୍ତୀ ଜଙ୍ଗଲରେ କ୍ରାସ ହୋଇ ଖସିପଡିଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥାଏ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । କ୍ରାସ ସୂଚନା ମିଳିବା ପରେ ରେସକ୍ୟୁ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ରେସ୍କ୍ୟୁ ଟିମ ଜଙ୍ଗଲ ମଧ୍ୟରେ ଖସି ପଡିଥିବା ବିମାନକୁ ଠାବ କରିବାରେ ସଫଳତା ପାଇଥିଲେ । ହେଲେ ବିମାନର ଜଳନ୍ତା ଭଗ୍ନାବଶେଷ ଠାବ ହେବା ସହ ଦୁଇ ପାଇଲଟ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଥିଲା । ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।