ପ୍ୟାରିସ (ଫ୍ରାନ୍ସ): ମାନବ ଚାଲାଣ ଅଭିଯୋଗରେ ତିନି ଦିନ ଧରି ଫ୍ରାନ୍ସର ଭାଟ୍ରି ବିମାନ ବନ୍ଦରରେ ଅଟକ ରହିଥିବା ୩୦୩ ଜଣ ଯାତ୍ରୀ ଶେଷରେ ମୁକ୍ତି ପାଇଛନ୍ତି । ଅଟକ ରହିଥିବା ୩୦୩ ଜଣ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ । ଫ୍ରାନ୍ସ ସରକାର ବିଭିନ୍ନ ଯାଞ୍ଚ କରିବା ପରେ ଯାତ୍ରୀମାନଙ୍କୁ ଛାଡ଼ିଛନ୍ତି । ନିକାରାଗୋଆ ଯାତ୍ରା କରୁଥିବା ୩୦୩ ଜଣ ଯାତ୍ରୀଙ୍କୁ ଫ୍ରାନ୍ସ ରାଜଧାନୀ ପ୍ୟାରିସଠାରୁ ଦେଢ଼ଶହ କିଲୋମିଟର ଦୂର ଭାଟ୍ରି ବିମାନ ବନ୍ଦରରେ ମାନବ ଚାଲାଣ ସନ୍ଦେହରେ ଅଟକ ରଖାଯାଇଥିଲା । ଆଜି ସକାଳେ ୩୦୩ ଜଣ ଯାତ୍ରୀଙ୍କୁ ନେଇ ପୁଣି ଥରେ ଉଡ଼ାଣ ଭରିଛି ଏହି ବିମାନ ।
ପ୍ୟାରିସର ଏକ ସ୍ଥାନୀୟ ଗଣମାଧ୍ଯମ ରିପୋର୍ଟ ଅନୁସାରେ, ଫ୍ରାନ୍ସ କର୍ତ୍ତୃପକ୍ଷ ଆଜି ଏହି ବିମାନକୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ୩୦୩ ଯାତ୍ରୀଙ୍କ ନେଇ ଏହି ବିମାନଟି କେଉଁଠିକୁ ଯାତ୍ରା କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ଏହା ମଧ୍ୟ ପଢ଼ନ୍ତୁ: ଦେଶରେ 4 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଥାନେରୁ ଚିହ୍ନଟ ହେଲେ 5 ଜେଏନ 1 ସଂକ୍ରମିତ
ରୋମାନିଆର ଚାଟାର୍ଡ କମ୍ପାନି ଲିଜେଣ୍ଡ ଏୟାରଲାଇନ୍ସରେ ୩୦୩ ଜଣ ଯାତ୍ରା ନିକାରାଗୋଆ ଯାତ୍ରା କରୁଥିଲେ । ଏମାନଙ୍କ ମଧ୍ୟରେ ୧୧ ଜଣ ନାବାଳକ ଥିଲେ । ଫ୍ରାନ୍ସର ଭାଟ୍ରି ବିମାନବନ୍ଦରରେ ଗତ ଶୁକ୍ରବାର ଦିନ ଏମାନଙ୍କୁ ମାନବ ଚାଲାଣ ସନ୍ଦେହରେ ଅଟକ ରଖାଯାଇଥିଲା । ଅଟକ ଯାତ୍ରୀମାନଙ୍କୁ ଫ୍ରାନ୍ସର ୪ ଜଣ ବିଚାରପତି ଜେରା କରିଥିଲେ । ଫ୍ରାନ୍ସ ଟେଲିଭିଜନ ଏବଂ ରେଡିଓ ନେଟୱର୍କ BFM TVର ସୂଚନା ଅନୁସାରେ, ବିଚାରପତିମାନେ ସେମାନଙ୍କୁ ମାନବ ଚାଲାଣ ସଂପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେହିପରି ସେମାନେ କେଉଁଠୁ ଆସିଛନ୍ତି ? କେଉଁଠିକୁ ଯାଉଛନ୍ତି ? ଏବଂ କାହିଁକି ଯାଉଛନ୍ତି ? ସେ ସଂପର୍କରେ ଟିକନିଖ ପଚାରି ବୁଝିଥିଲେ ଫ୍ରାନ୍ସର ଜଜ୍ । ଅଟକ ବିମାନଯାତ୍ରୀଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣିକୁ ଅଗ୍ରାହ୍ୟ କରି ଦେଇଛନ୍ତି ଫ୍ରାନ୍ସ ବିଚାରପତି ।