ହାଇଦ୍ରାବାଦ:ପୁଣି ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିଛି । ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ଗତ 9 ତାରିଖରେ ଅରୁଣାଚଳ ପ୍ରଦେଶ ସୀମା ସଲଗ୍ନ ତାୱଙ୍ଗ କ୍ଷେତ୍ରରେ ଏହି ସଂଘର୍ଷ ହୋଇଥିବା ସୂଚନା ମିଳିଛି । ପ୍ରାୟ 3 ଶହ ଚୀନ ଯବାନ ଅସ୍ତ୍ରଶସ୍ତ୍ର ସହ ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରିଥିଲେ । ଭାରତୀୟ ଯବାନ ସେମାନଙ୍କୁ ଦୃଢତାର ସହ ପ୍ରତିରୋଧ କରିବା ସହ ସେମାନଙ୍କୁ ତଡିବାରେ ସଫଳ ହୋଇଥିଲେ ।
ଉଭୟ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଉଭୟ ପକ୍ଷର କିଛି ଯବାନ ସାମାନ୍ୟ ହୋଇଛନ୍ତି । ଭାରତ ଠାରୁ ଚୀନ ସେନାର ଅଧିକ ଯବାନ ଆହତ ହୋଉଥିବା ସୂଚନା ମିଳିଛି । କିଛି ସମୟର ଉତ୍ତେଜନା ପରେ ଉଭୟ ପକ୍ଷ ପଛକୁ ହଟିଥିଲେ । ପରେ ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଜରୁରୀ ବୈଠକ ହୋଇଥିଲା । କମାଣ୍ଡରସ୍ତରୀୟ ବୈଠକ ପରେ ଉଭୟ ପକ୍ଷର ସୈନ୍ୟଙ୍କୁ ହଟାଇ ନିଆଗଲା ।