ଯେଉଁ ଦଳ ସରକାରରେ ଥାଆନ୍ତୁ ନା କାହିଁକି,ଅନ୍ତର୍ଜାତୀୟ ତୈଳ ବଜାରରେ ଦର ଉଠାପକା ଉପରେ ନିର୍ଭର କରି ପେଟ୍ରୋଲିୟମଜାତ ପଦାର୍ଥର ଦର ବଦଳୁଥାଏ । ହେଲେ,ନିକଟରେ ଅନୁଷ୍ଠିତ ପାଞ୍ଚଟି ବିଧାନସଭା ନିର୍ବାଚନ ସମୟରେ ଏହାର ଦରବୃଦ୍ଧି ହୋଇ ନଥିବାରୁ ଏହି ଦର ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ନିୟନ୍ତ୍ରିତ ହେଲା ଭଳି ମନେହୁଏ । ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ,ଦିନେ ଛଡ଼ା ଦିନେ ପେଟ୍ରୋଲ ଦର ବଢ଼ିବାରେ ଲାଗିଲା ଏବଂ ଏହି ଦରବୃଦ୍ଧିର ବୋଝ ଲୋକଙ୍କ ଉପରେ ପଡ଼ିଲା ।
ମାସକ ଭିତରେ ପେଟ୍ରୋଲ ଓ ଡିଜେଲର ଦର ଦଶ ଥର ସଂଶୋଧିତ ହୋଇସାରିଲାଣି । ଏହା ଫଳରେ ମଧ୍ୟ ପ୍ରଦେଶ,ରାଜସ୍ଥାନ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟର ବିଭିନ୍ନ ସହରରେ ପେଟ୍ରୋଲ ଦର ଲିଟର ପିଛା 100ଟଙ୍କାରୁ ଅଧିକ ହେଲାଣି । ଚିରାଚରିତ ଢଙ୍ଗରେ ଏହି ଦରବୃଦ୍ଧିର ଯୌକ୍ତିକତା ଦର୍ଶାଇବାକୁ ଯାଇ ବିଭିନ୍ନ ଇନ୍ଧନ ବିପଣନ ସଂସ୍ଥା କହନ୍ତି ଯେ,ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 69ଆମେରିକୀୟ ଡଲାରକୁ ବୃଦ୍ଧି ପାଇବା ହିଁ ଏହାର କାରଣ ।
2014ରେ ଏନ୍ଡିଏ ସରକାର ଶାସନ କ୍ଷମତାକୁ ଆସିବା ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 110ଆମେରିକୀୟ ଡଲାର ରହିଥିଲା । କିନ୍ତୁ ସେତେବେଳେ ପେଟ୍ରୋଲ ଲିଟର ପିଛା 71ଟଙ୍କାରେ ଏବଂ ଡିଜେଲ ଲିଟର ପିଛା 57ଟଙ୍କାରେ ବିକ୍ରି ହେଉଥିଲା । ତେଣୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 110ଟଙ୍କା ଥିବା ସମୟ ସହିତ ବର୍ତ୍ତମାନର ଦରକୁ ତୁଳନା କଲେ ଏହି ଦରବୃଦ୍ଧି ପଛରେ ଥିବା କାରଣଗୁଡ଼ିକ କିଭଳି ତର୍କସମ୍ମତ ବୋଲି ସାଧାରଣ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନ ନିହାତି ଯୁକ୍ତିଯୁକ୍ତ ।
ଶକ୍ତି କ୍ଷେତ୍ରରେ ଭାରତକୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବାର କାରଣ ପୂର୍ବବର୍ତ୍ତୀ ସରକାରମାନଙ୍କର ବିଫଳ ନୀତି ବୋଲି କହି ପ୍ରଧାନମନ୍ତ୍ରୀ ଯେତେବେଳେ ଦୋଷାରୋପ କରୁଥିଲେ,ସେତେବେଳେ ସେ କେବଳ ଅର୍ଦ୍ଧସତ୍ୟ ହିଁ କହୁଥିଲେ । ଏଠାରେ ଉଲ୍ଲେଖନୀୟ ଯେ,କୋଭିଡ୍ ପ୍ରାଦୁର୍ଭାବ ପୂର୍ବରୁ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା 19ଟଙ୍କା 98ପଇସା ଥିଲା ଏବଂ ପରବର୍ତ୍ତୀ ସମୟରେ ଏହା 32ଟଙ୍କା 98ପଇସାକୁ ବୃଦ୍ଧି ପାଇଲା । ଅନୁରୂପ ଭାବରେ,ସେହି ସମୟରେ ହିଁ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା 15ଟଙ୍କା 83ପଇସାରୁ 31ଟଙ୍କା 83ପଇସାକୁ ବୃଦ୍ଧି ପାଇଲା । ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଇନ୍ଧନ ଉପରେ ଭ୍ୟାଟ୍ ବା ମୂଲ୍ୟଯୁକ୍ତ ଟିକସ ଲାଗୁ କରି ଏହି ଦରବୃଦ୍ଧିର ଅନ୍ୟତମ କାରଣ ସାଜିଲେ । ବର୍ତ୍ତମାନ ଇନ୍ଧନ ଦରର ଦୁଇ ତୃତୀୟାଂଶ କେବଳ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ବାରା ଲାଗୁ କରାଯାଇଥିବା ଟିକସ ବାବଦରେ ନିଆଯାଉଛି । ଅର୍ଥନୀତିଜ୍ଞମାନଙ୍କ ମତରେ ଯଦି ପେଟ୍ରୋଲିୟମ ଇନ୍ଧନକୁ ଦ୍ରବ୍ୟ ଓ ସେବା କର ବା ଜିଏସ୍ଟି ପରିସରଭୁକ୍ତ କରାଯାଏ,ତେବେ ପେଟ୍ରୋଲ ଲିଟର ପିଛା 75ଟଙ୍କା ଏବଂ ଡିଜେଲ ଲିଟର ପିଛା 68ଟଙ୍କାରେ ମିଳିବ । ସେମାନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଆବଶ୍ୟକ ।