ନୂଆଦିଲ୍ଲୀ:ଦେଶରେ କିଛି ଦିନ ହେବ ତେଲ ତାତିରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ପ୍ରତିଦିନ ୮୦ ପଇସା ବଢୁଥିବା ପେଟ୍ରୋଲ ଓ ଡିଜେଲ ଦର(Petrol Diesel Prices)ରେ ଏବେ ବ୍ରେକ୍ ଲାଗିଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଆଜି(ଶନିବାର) ପାଇଁ ତେଲର ନୂଆ ଦର ଜାରି କରିଛନ୍ତି । ଆଜି ମଧ୍ୟ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜକୁ ୧୦ ହେବ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଯାହାଫଳରେ ଏବେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୧୨.୫୦ ଟଙ୍କା ଥିବାବେଳେ ଡିଜେଲ ୧୦୨ ଟଙ୍କା ଉପରେ ରହିଛି ।
ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ୧୨୦ ଟଙ୍କା ପାର୍ କରିଥିବା ବେଳେ ଡିଜେଲ ଶତକ ଛୁଇଁଛି । ବାଣିଜ୍ୟ ନଗରୀ ମୁମ୍ବାଇରେ ରେଟ୍ ସବୁଠୁ ଅଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୪ ଟଙ୍କା ପାର୍ କରିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଟଙ୍କା ଏବଂ ଡିଜେଲ ୯୬.୬୭ ଟଙ୍କାରେ ବିକ୍ରି ହେଉଛି । ଏହି କ୍ରମରେ ଚେନ୍ନାଇରେ ଏବେ ପେଟ୍ରୋଲ ୧୧୦.୮୫ ଟଙ୍କା ଏବଂ ଡିଜେଲ ୧୦୦.୯୪ ଟଙ୍କାରେ ସ୍ଥିର ଅଛି । ଯଦି କୋଲକାତା କଥା କହିବା, ତେବେ ଏଠାରେ ଦର ଯଥାକ୍ରମେ ୧୧୫.୧୨ ଟଙ୍କା ଏବଂ ୯୯.୮୩ ଟଙ୍କା ରହିଛି ।