ନୂଆଦିଲ୍ଲୀ:ମହଙ୍ଗା ମାଡରୁ ମିଳୁନି ନିସ୍ତାର । ପନିପରିବା ଠାରୁ ତୈଳ ଯାଏଁ, ଆକାଶ ଛୁଆଁ ସବୁ ଦର । ଇତିମଧ୍ୟରେ ଦେଶରେ ଲଗାତାର ଭାବେ ବଢିଚାଲିଛି ତୈଳ ଦାମ୍ । କ୍ରମାଗତ ଦ୍ବିତୀୟ ଦିନରେ ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।
ଆଜି ଦେଶରେ ପୁଣି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଯାହାପରେ ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ୍ ୧୦୬.୫୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୨୭ ଟଙ୍କାରେ ପହଞ୍ଚିଛି । ସେହିପରି ବାଣିଜ୍ୟ ନଗରୀ ମୁମ୍ବାଇରେ ମଧ୍ୟ ଦର ରେକର୍ଡ ସ୍ତରରେ ରହିଛି । ଏଠାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୧୨.୪୪ ଏବଂ ୧୦୩.୨୬ ଟଙ୍କାରେ ପହଞ୍ଚିଛି ।
ସେପଟେ କୋଲକାତାରେ ମଧ୍ୟ ବର୍ତ୍ତମାନ ପେଟ୍ରୋଲ ୧୦୭.୧୨ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୯୮.୩୮ ଟଙ୍କା ରହିଛି । ଆଜି ଚେନ୍ନାଇରେ ଏହି ତୈଳ ଦର ୧୦୩.୬୧ ଏବଂ ୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଅପରପକ୍ଷେ କେନ୍ଦ୍ର ସରକାର ତୈଳର ଚାହିଦା ଓ ଯୋଗାଣ ଜନିତ ସମସ୍ୟା ସମ୍ପର୍କରେ ବିଭିନ୍ନ ତୈଳ ରପ୍ତାନୀକାରୀ ରାଷ୍ଟ୍ର ସହ କଥା ହୋଇଛନ୍ତି । ମାତ୍ର ବର୍ତ୍ତମାନ ସମୟରେ ଏହି ମହଙ୍ଗା ତୈଳ ଦରରୁ ନିସ୍ତାର ମିଳିବ ନାହିଁ ବୋଲି କୁହାଯାଉଛି ।
ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ନିକଟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବୃହତ୍ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଯେପରି ସାଉଦ ଆରବ, କୁଏତ, ୟୁଏଇ, ଋଷିଆ ସହ ତୈଳ ଯୋଗାଣ ଓ ଏହାର ଚାହିଦା ସହ ଦରଦାମ୍ ସମ୍ପର୍କରେ ଆଲୋଚନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ