ଓଡିଶା

odisha

ETV Bharat / bharat

ଆସନ୍ତା ସପ୍ତାହରୁ ପୁଣି ବଢିପାରେ ତୈଳ ଦର - ବଢିବ ପେଟ୍ରୋଲ ଡିଜେଲ ଦର

ଆସନ୍ତା ସପ୍ତାହରୁ ଦେଶରେ ପୁଣି ମହଙ୍ଗା ହେବ ପେଟ୍ରୋଲ ଏବଂ ଡିଜେଲ । ଜାଣନ୍ତୁ କାହିଁକି ବଢିବ ଦର

ଆଗାମୀ ସପ୍ତାହରେ ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର !
ଆଗାମୀ ସପ୍ତାହରେ ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର !

By

Published : Mar 3, 2022, 8:42 AM IST

ନୂଆଦିଲ୍ଲୀ: ଗତ ମାସେ ଧରି ତୈଳ ଦର ସ୍ଥିର ରହିବା ପରେ ଆସନ୍ତା ସପ୍ତାହରେ ପୁଣି ବଢିବ ତେଲ ଦର । ଆସନ୍ତା ସପ୍ତାହ ବିଧାନସଭା ନିର୍ବାଚନ ଶେଷ ହେବା ପରେ କମ୍ପାନୀ ଗୁଡ଼ିକ ଦରବୃଦ୍ଧି ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୦୦ ଡଲାର ଟପିବା ପରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ୍ ବିକ୍ରିରେ କମ୍ପାନିଗୁଡ଼ିକ ପ୍ରାୟ ୯ ଟଙ୍କାର କ୍ଷତି ସହୁଛନ୍ତି ।

ଜେପି ମୋର୍ଗାନ ଏକ ରିପୋର୍ଟରେ କହିଛନ୍ତି ଯେ, ଆସନ୍ତା ସପ୍ତାହରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ସହିତ ଉଭୟ ପେଟ୍ରୋଲ ଏବଂ ଡିଜେଲରେ ଦର ବୃଦ୍ଧି ହେବାର ଆଶା କରୁଛୁ । ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରେ ପହଞ୍ଚିଲାଣି । ତେଣୁ ଭାରତରେ ଆସନ୍ତା ସପ୍ତାହରେ ତୈଳ ଦର ବୃଦ୍ଧି ହେବା ଆଶଙ୍କା ଅଧିକ ରହିଛି ।

ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ନିୟମିତ ବ୍ୟବଧାନରେ ବୃଦ୍ଧି ପାଉଛି । ମାର୍ଚ୍ଚ ୧ରେ ଦର ୧୦୨ ଡଲାର ଥିଲା । ଗତବର୍ଷ ନଭେମ୍ବରରେ ଅଶୋଧିତ ତୈଳ ଦର ୮୧.୫ ଡଲାର ଥିଲା । ଦେଶର ତିନି ତୈଳ କଂପାନି ଇଣ୍ଡିଆନ ଅଏଲ(IOC), ଭାରତ ପେଟ୍ରୋଲିୟମ୍(BPCL) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍(HPCL) ଲିଟର ପିଛା ପେଟ୍ରୋଲ୍ ଓ ଡିଜେଲ୍ ଉପରେ ପ୍ରାୟ ୫ ଟଙ୍କା ୭୦ ପଇସାର କ୍ଷତି ସହୁଛନ୍ତି। ଏହାକୁ ବାଦ ଦେଇ ଲିଟର ପିଛା ଅଢ଼େଇ ଟଙ୍କାର ବ୍ୟବସାୟ ମାର୍ଜିନ ରହିଛି ।

ଯଦି ତୈଳ କମ୍ପାନୀ ଗୁଡିକ ମାର୍କେଟ ମାର୍ଜିନକୁ ଫେରିବାକୁ ଚାହିଁବେ ତେବେ ପେଟ୍ରୋଲ୍ ଦାମ୍‌ ୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ବ୍ରୋକରେଜ୍ ସଂସ୍ଥା ଜେପି ମୋର୍ଗାନ ଏକ ରିପୋର୍ଟରେ ସୂଚନା ଦେଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ଅଶୋଧିତ ତୈଳ ଦର ଅଧିକ ଦିନ ପର୍ଯ୍ୟନ୍ତ ୧୦୦ ଡଲାର ଉପରେ ରହିବ ଓ ସରକାର ୧-୩ ଟଙ୍କା ପର୍ଯ୍ୟନ୍ତର ଟିକସ ହ୍ରାସ କରିବେ ତେବେ ପେଟ୍ରୋଲ୍‌ ଦାମ୍‌ରେ ୫-୮ ଟଙ୍କା ବୃଦ୍ଧି ହେବ ।

ଉତ୍ତରପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଦେଶରେ ପେଟ୍ରୋଲ୍ ଦାମ୍ ଏହାର ସର୍ବୋଚ୍ଚ ସ୍ତର ୧୧୦ ଟଙ୍କା ୪ ପଇସାରେ ଏବଂ ବହୁ ରାଜ୍ୟରେ ଡିଜେଲ ଦର ମଧ୍ୟ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଥିଲା। ଏହାକୁ ନେଇ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ଦେଖାଦେବାରୁ ସରକାର ଡିଜେଲ୍‌ରୁ ୧୦ ଟଙ୍କା ଏବଂ ପେଟ୍ରୋଲ୍‌ରୁ ୫ ଟଙ୍କାର ଟିକସ ହ୍ରାସ କରିଥିଲେ। ତେଲ କମ୍ପାନୀଗୁଡିକ ଏବେ ବ୍ୟାପକ କ୍ଷତି ସହୁଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିବାକୁ ବାଧ୍ୟ ହେବେ ବୋଲି ଜେପି ମୋର୍ଗାନ୍‌ର ଏକ ରିପୋର୍ଟରେ ଦର୍ଶାଯାଇଛି ।

ABOUT THE AUTHOR

...view details