ଲକ୍ଷ୍ନୌ: କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ସମର୍ଥନରେ ଆସନ୍ତା ୫ ତାରିଖରେ ଆୟୋଜିତ ହେବାକୁ ଥିବା ରାଲିକୁ ରଦ୍ଦ କରିଛନ୍ତି ଅଯୋଧ୍ୟା ଜିଲ୍ଲା ପ୍ରଶାସନ । ଏହି ଆନ୍ଦୋଳନରେ ପ୍ରାୟ ୧୧ ଲକ୍ଷ ଲୋକ ସାମିଲ ହେବାକୁ ଥିବା ବେଳେ ଏହି ବିଶାଳ ରାଲିକୁ ରଦ୍ଦ କରାଯାଇଛି । ଜୁନ ୫ ତାରିଖରେ ବିଶ୍ବ ପରିବେଶ ଦିବସ ଥିବାରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଣୁ ବ୍ରିଜଭୂଷଣଙ୍କ ପକ୍ଷରୁ ରାଲି ପାଇଁ ଅନୁମତି ମାଗିଥିବା ବିଜେପି କାଉନସିଲର ଚମେଲା ଦେବୀଙ୍କୁ ଏ ନେଇ ଅନୁମତି ପ୍ରଦାନ କରିନାହାନ୍ତି ଜିଲ୍ଲା ପ୍ରଶାସନ ।
ଗୋଟିଏ ପଟେ ମାସେ ଧରି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ବଜରଙ୍ଗ ପୁନିଆ, ଭିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଅଲମ୍ପିଆନ କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଥିବା ବେଳେ ଏପଟେ ବ୍ରିଜଭୂଷଣଙ୍କୁ ଗିରଫ କରାଯାଇନାହିଁ । ଏଭଳି ସ୍ଥିତିରେ ସେ ଆସନ୍ତା ୫ ତାରିଖରେ ମେଗା ରାଲି କରିବାକୁ ଯୋଜନା କରିଥିଲେ । ଯାହାକୁ ଜିଲ୍ଲା ପ୍ରଶାସନ ରଦ୍ଦ କରିଛନ୍ତି । ଏହି ମେଗାରାଲିରେ ବ୍ରିଜଭୂଷଣଙ୍କ ସମର୍ଥନ ସାମିଲ ହେବାକୁ ଥିବା ବେଳେ ଏହାର ନାମ ରଖାଯାଇଥିଲା 'ସନ୍ଥ ସମ୍ମିଳନୀ' । ତେବେ ମେଗାରାଲି ବାତିଲ ନେଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ରିଜଭୂଷଣ ସୂଚନା ଦେଇଛନ୍ତି ।
ଏହା ବି ପଢନ୍ତୁ- Wrestlers protest: ‘ସେମାନେ ବାରମ୍ବାର ଦାବି ବଦଳାଉଛନ୍ତି, ମୁଁ ତଦନ୍ତକୁ ଅପେକ୍ଷା କରିଛି’
ଏନେଇ ସେ ଲେଖିଛନ୍ତି, "ଆପଣମାନଙ୍କ ସମର୍ଥନ ଲାଗି ଗତ ୨୮ବର୍ଷ ଧରି ଲୋକସଭା ସାଂସଦ ରହିଛି । ମୁଁ ସର୍ବଦା ପ୍ରତିଟି ଜାତି, ସମ୍ପ୍ରଦାୟ ଓ ଧର୍ମର ଲୋକଙ୍କୁ ଏକତ୍ରିତ କରିବା ଲାଗି ଚେଷ୍ଟା କରିଛି । ଏଥିଲାଗି ମୋର ରାଜନୈତିକ ପ୍ରତିଦ୍ବନ୍ଦୀ ଓ ସେମାନଙ୍କର ଦଳ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି । ଆସନ୍ତା ଜୁନ ୫ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ମେଗାରାଲିରେ ଏକ ବିଶେଷ କାର୍ଯ୍ୟକ୍ରମ ରହିଥିଲା । ସମାଜରେ ବ୍ୟାପିଥିବା ମନ୍ଦ ବିଚାର ଓ ଶକ୍ତିର ଲୋପ କରାଯାଇପାରିବ । ହେଲେ ଯେହେତୁ ପୋଲିସ ଏବେ ତଦନ୍ତ କରୁଛି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଏଣୁ 'ଜନଚେତନା ମହାରାଲି, ଜୁନ ୫ ଅଯୋଧ୍ୟା ଚଲୋ'କୁ ରଦ୍ଦ କରାଯାଇଛି ।"
ଗତ ଗୁରୁବାର ବ୍ରିଜଭୂଷଣ ଅଭିଯୋଗ କରିଥିଲେ ଯେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ନିଜ ଦାବି ଓ ଭାଷାରେ ପରିବର୍ତ୍ତନ ଆଣୁଛନ୍ତି । ହେଲେ ସେ ପ୍ରଥମରୁ ଯାହା ମନ୍ତବ୍ୟ ଦେଇଥିଲେ, ଏବେ ବି ତାହା କହୁଛନ୍ତି । ଯଦି ସେ ଦୋଷୀ ବା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି କହିଥିଲେ ବ୍ରିଜଭୂଷଣ । ଅନ୍ୟପଟେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ଗତ ମଙ୍ଗଳବାର ହରିଦ୍ବାରରେ ନିଜ ମେଡାଲ ବିସର୍ଜନ କରିବାକୁ ପହଞ୍ଚିଥିଲେ । ସରକାର ସେମାନଙ୍କ ଦାବି ଶୁଣୁନଥିବାରୁ ସେ ଏପରି କରୁଥିବା ବେଳେ ତାଙ୍କୁ ଚାଷୀ ନେତା ନରେଶ ଟିକାୟତ ଅଟକାଇବା ସହ କେନ୍ଦ୍ର ସରକାରଙ୍କୁ ୫ ଦିନର ଡେଡଲାଇନ ଦେଇଥିଲେ ।