ନୂଆଦିଲ୍ଲୀ: ପାର୍ଲିଆମେଣ୍ଟରୁ ପାୱାର କରିଡର, ସବୁଠି ପେଗାସସ ଝଡ । ମୌସୁମୀ ଅଧିବେଶନ ସମୟରେ ସୃଷ୍ଟି ଏହି ଝଡ ସଂସଦର ଉଭୟ ଗୃହକୁ ଦୋହଲାଇଦେଇଛି । ବିରୋଧୀଙ୍କ ଘନଘନ ଟାର୍ଗେଟ ଯୋଗୁଁ ବ୍ୟାକଫୁଟରେ ସରକାର । ଆଉ ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ପହଁଞ୍ଚିଛି ପେଗାସସ ପ୍ରୋଜେକ୍ଟ ମାମଲା ।
ସୁପ୍ରିମକୋର୍ଟରେ ପେଗାସସ ସ୍ପାଇୱେୟାର ମାମଲାକୁ ନେଇ ଦାଖଲ ହୋଇଛି ଯାଚିକା । ଆଇନଜୀବୀ ଏମଏଲ ଶର୍ମାଙ୍କ ଜରିଆରେ ଦାଖଲ ଏହି ଯାଚିକା ଉପରେ ଆସନ୍ତା ସପ୍ତାହରେ ଶୁଣାଣି ହୋଇପାରେ । ଯାଚିକାରେ ସଫ୍ଟୱେୟାର ଉପରେ ପ୍ରବନ୍ଧ ଲଗାଇବାକୁ ଅଦାଲତ ଦ୍ବାରା ଗଠିତ ଏସଆଇଟି ତଦନ୍ତର କରାଯାଇଛି ଦାବି ।
ଇସ୍ରାଏଲସ୍ଥିତ ଏକ ଏନଜିଓ ସଂସ୍ଥା, ମୋବାଇଲ ଫୋନ ସ୍ପାଏ ଓ୍ବାର ପେଗାସସ ଜରିଆରେ ଭାରତରେ ବେଆଇନ ସର୍ଭିଲାନ୍ସ କରୁଥିବା ଅଭିଯୋଗ ହୋଇଛି । NSO ଲିଷ୍ଟରେ କଂଗ୍ରେସରର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ରହିଛି ୩୦୦ ଭାରତୀୟ ଭିଭିଆଇପିଙ୍କ ନମ୍ବର । NSO ହେଉଛି ସଫ୍ଟୱେୟାର ତିଆରିକରୁଥିବା ଇସ୍ରାଏଲର ଏକ କମ୍ପାନୀ । ପେଗାସସ ସଫ୍ଟୱେୟାରକୁ ମଧ୍ୟ ଏହି କମ୍ପାନୀ ତିଆରି କରିଛି ।
ଏହି ଘଟଣାର ତଦନ୍ତ ନେଇ କେବଳ ସୋସିଆଲ ମିଡିଆରେ ସ୍ୱର ଉଠୁନାହିଁ, ବରଂ ସଂସଦରେ ମଧ୍ୟ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ଚୌଧୁରୀ ଅନୀଲ କୁମାର ବିରୋଧୀ ଦଳର ନେତା, କାର୍ଯ୍ୟକର୍ତ୍ତା ଏବଂ ସାମ୍ବାଦିକଙ୍କ ଫୋନ୍ ନମ୍ବର ସମେତ 300 ଫୋନ୍ ନମ୍ବର ଟ୍ୟାପ କରାଯିବା ନେଇ ପାଇଁ ଇସ୍ରାଏଲ୍ ସ୍ପାଏୱେୟାର 'ପେଗାସସ୍' ବିରୋଧରେ ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚର ଦାବି କରିଛନ୍ତି ।
ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ (Editors Guild) । ଏହାସହ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛି ଏଡିଟର ଗିଲ୍ଡ । ପେଗାସସ ସ୍ପାଏୱେୟାର ବ୍ୟବହାର କରି ସାମ୍ବାଦିକ ତଥା ରାଜନେତାଙ୍କ ଉପରେ ନଜର ରଖାଯିବା ନେଇ ଗଣମାଧ୍ୟମର ରିପୋର୍ଟ ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ବୁଧବାର ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ନିରପେକ୍ଷ ତଦନ୍ତ ଦାବି କରିଛି।