କୋଲକାତା:ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ହିଂସା ଲାଗିରହିଛି । ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ନାମାଙ୍କନ ପ୍ରକ୍ରିୟା ପୂର୍ବରୁ ସର୍ବାଧିକ ହିଂସା ଘଟଣା ସାମ୍ନାକୁ ଆସିଛି । ଗତ ସପ୍ତାହେ ମଧ୍ୟରେ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ 6 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ରାଜ୍ୟରେ ଜାରି ରହିଥିବା ହିଂସାକୁ ନେଇ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଶ୍ମସାନ ଚିନ୍ତାବ୍ୟକ୍ତ କରିଛନ୍ତି । ରାଜ୍ୟପାଳ ନିଜେ ହିଂସା ପ୍ରଭାବିତ 24 ପ୍ରଗଣା ଜିଲ୍ଲା ଗସ୍ତ କରିବା ପରେ ରାଜଭବନରେ ହିଂସା ସମ୍ପର୍କିତ ଅଭିଯୋଗ ପାଇଁ ଏକ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଖୋଲାଯାଇଛି । ଯାହାର ନାମ ରଖାଯାଇଛି ‘ପିସ୍ ରୁମ’ । ନିର୍ବାଚନୀ ହିଂସା ଓ ଅନ୍ୟାନ୍ୟ ଅଭିଯୋଗ ପାଇଁ ଅଭିଯୋଗକାରୀ ସିଧାସଳଖ ରାଜଭବନରେ ଦ୍ବାରସ୍ଥ ହୋଇପାରିବେ ।
ଦକ୍ଷିଣ 24 ପ୍ରଗଣାରେ ନାମାଙ୍କନ ଦିନ ହୋଇଥିବା ହିଂସାସ୍ଥଳ ପରିଦର୍ଶନ କରିଛନ୍ତି ରାଜ୍ୟପାଳ ବୋଷ । ରାଜ୍ୟରେ ଏବେ ସୁଦ୍ଧା ପ୍ରାକ ନିର୍ବାଚନ ହିଂସାରେ ଭିନ୍ନ ଭିନ୍ନ ସ୍ଥାନରେ 6 ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ବିଭିନ୍ନ ରାଜନୈତିକ ଦଳ ଦାବି କରୁଥିଲେ । ଆଜି ରାଜ୍ୟପାଳ ବୋଷ ନିଜେ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡିତ ପରିବାର ସହ ଆଲୋଚନା କରିଥିଲେ । ପରେ ରାଜଭବନରେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବା ନେଇ ରାଜ୍ୟପାଳ ନିର୍ଦ୍ଦେଶ ମଧ୍ୟ କରିଥିଲେ ।