ନୂଆଦିଲ୍ଲୀ:ପୂର୍ବାହ୍ନରେ ନାଟକୀୟ ଢଙ୍ଗରେ ବିମାନ ବନ୍ଦରରୁ ଆସାମ ପୋଲିସ ଦ୍ବାରା ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ପବନ ଖେଡାଙ୍କୁ ସର୍ବୋଚ୍ଚ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି । ଆସନ୍ତା ଶୁଣାଣି (ମଙ୍ଗଳବାର) ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ମାମଲାରେ ଖେଡାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାର ଏକତ୍ର ତଦନ୍ତ କରିବା ପାଇଁ ଉତ୍ତର ପ୍ରଦେଶ ଓ ଆସାମ ପୋଲିସକୁ ମଧ୍ୟ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି । ଆଜି ପୂର୍ବାହ୍ନରେ ଖେଡାଙ୍କୁ ଦିଲ୍ଲୀର ଦ୍ବାରକା କୋର୍ଟରେ ହାଜର କରାଯାଇଥିବା ବେଳେ ଏହା ପୂର୍ବରୁ ସର୍ବୋଚ୍ଚ କୋର୍ଟରୁ ଏହି ଅନ୍ତରୀଣ ଜାମିନ ଆସିଛି । ଦ୍ବାରକା କୋର୍ଟ ଏହି ଅନ୍ତରୀଣ ଜାମିନ ମଞ୍ଜୁର କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି ।
ଆସାମ ପୋଲିସ ଖେଡାଙ୍କୁ ଗିରଫ କରି ଦ୍ବାରକା କୋର୍ଟରେ ହାଜର କରି ଟ୍ରାଂଜିଟ ରିମାଣ୍ଡରେ ନେବାକୁ ଚାହୁଁଥିବା ବେଳେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟରେ ଖେଡାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଙ୍ଗଭି ମାମଲା ଦାଏର କିରଥିଲେ । ତାଙ୍କୁ ବେଲ ପ୍ରଦାନ କରିବା ସହ ତାଙ୍କ ବିରୋଧରେ ଏକାଧିକ ସ୍ଥାନରେ ଦାଏର ହୋଇଥିବା ମାମଲାର ଏକତ୍ରୀକରଣ କରିବା ପାଇଁ ଆଇନଜୀବୀ ସିଙ୍ଗଭି ଆବେଦନରେ ଦର୍ଶାଇଥିଲେ । ସର୍ବୋଚ୍ଚ କୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି କରି ଖେଡାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ଦ୍ବାରକା କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବରିଷ୍ଠ କଂଗ୍ରେସ ନେତା ତଥା ଦଳର ପ୍ରବକ୍ତା ପବନ ଖେଡାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଦେଇଥିବା ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ମାମଲାରେ ତାଙ୍କ ନାମରେ ଆସାମ ସମେତ ଉତ୍ତର ପ୍ରଦେଶର ଏକାଧିକ ସ୍ଥାନରେ ମାମଲା ରୁଜୁ କରାଯାଇଥିଲା । ଆସାମ ପୋଲିସ ଆଜି ତାଙ୍କୁ ନାଟକୀୟ ଢଙ୍ଗରେ ବିମାନରୁ ଓହ୍ଲାଇ ଗିରଫ କରିଥିଲା ।