ମୁମ୍ବାଇ:ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା (Patra Chawl land scam case)ରେ ଗିରଫ ହୋଇଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ପୁଣି ବଢାଇଲେ ଅଦାଲତ (Judicial custody of Sanjay Raut extended) । ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ ସଞ୍ଜୟ ପୁଣି ନ୍ୟାୟିକ ହାଜତରେ ରହିବେ । ଅଗଷ୍ଟ ପହିଲାରେ ଗିରଫ ହେବା ପରେ ବାରମ୍ବାର ରାଉତଙ୍କ ଜାମିନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ କ୍ରମାଗତ ବଢିବାରେ ଲାଗିଛି । ଚଳିତ ମାସ 4 ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଆଜି (ଅକ୍ଟୋବର 10) ତାରିଖ ପର୍ଯ୍ୟନ୍ତ ଅଦାଲତ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଥିଲେ । ଆଜି ଏହି ଅବଧି ଶେଷ ହେବା ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ତେବେ ଆଜି ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ନ୍ୟାୟିକ ହାଜତ ଅବଧିକୁ 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ ।
ବହୁ ଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ୍ ସ୍କାମ୍ ମାମଲାରେ ଅଗଷ୍ଟ 1 ତାରିଖରେ ଗିରଫ ହୋଇଥିଲେ ଶିବସେନାର ଏହି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ । ଗିରଫଦାରୀର ଗୋଟିଏ ଦିନ ପୂର୍ବରୁ ତଥା ଜୁଲାଇ 31 ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବାସଭବନରେ ଚଢାଉ କରିଥିଲା । ଏକାଧିକ ଘଣ୍ଟା ଜେରା ପରେ ତାଙ୍କୁ ଶେଷରେ ଗିରଫ କରିଥିଲା ED । ସେବେଠାରୁ ତାଙ୍କର ଜାମିନ ଆବେଦନ କ୍ରମାଗତ ଭାବେ ଖାରଜ ହେବାରେ ଲାଗିଛି (Judicial custody of Sanjay Raut extended)।