ପାଟନା: ବିହାର ସରକାରଙ୍କ ନଗର ଉନ୍ନୟନ ଏବଂ ଗୃହ ବିଭାଗର ମୁଖ୍ୟ ସଚିବ ଆନନ୍ଦ କିଶୋର(IAS Officer Anand Kishore)ଙ୍କ ଉପରେ ଖପ୍ପା ପାଟନା ହାଇକୋର୍ଟ ବିଚାରପତି । ଆଇଏଏସ ଆନନ୍ଦ ନ୍ୟାୟାଳୟରେ କୋର୍ଟ ନ ପିନ୍ଧି ପହଞ୍ଚିବା ପରେ ତାଙ୍କ ଡ୍ରେସକୋଡ୍ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଚାରପତି ପି.ବି ବଞ୍ଜଥରୀ (Judge PB Bajanthary) । ସେ କଣ ସିନେମାହଲ୍ ଆସିଛନ୍ତି ବୋଲି ଜଜ୍ଙ୍କ ପ୍ରଶ୍ନ ପଚାରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ବରିଷ୍ଠ ଆଇଏଏସ ଅଧିକାରୀ ଆନନ୍ଦଙ୍କୁ ସଠିକ ପୋଷାକରେ ନ ଦେଖିବା ପରେ ବିଚାରପତି ତାଙ୍କୁ ମସୁରୀର ସିଭିଲ୍ ସର୍ଭିସେସ୍ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ପଢିନାହାଁନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଜଜ୍ ଆହୁରି ପ୍ରଶ୍ନ କରିଥିଲେ ଯେ 'ଏହା ଏକ ସିନେମା ହଲ୍ ବୋଲି ଆପଣ ଭାବୁଛନ୍ତି କି ? ଆପଣ ଜାଣି ନାହାଁନ୍ତି କେଉଁ ଡ୍ରେସକୋଡରେ କୋର୍ଟରେ ହାଜର ହେବାକୁ ପଡିବ ? ଅତିକମରେ କୋଟ ପିନ୍ଧି ଆସିବା ସହିତ କଲର ନଥିବା ପୋଷାକ ପିନ୍ଧିବା ଉଚିତ୍ ନୁହେଁ ।"
ହାଇକୋର୍ଟରେ ବିଚାରପତିଙ୍କ ଦ୍ବାରା ଆନନ୍ଦ କିଶୋରଙ୍କ ତାଗିଦ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଆଇଏଏସ ଆନନ୍ଦ ଧଳା ସାର୍ଟ ପିନ୍ଧିଥିଲେ । ଯାହାର କଲର୍ ବଟନ୍ ଖୋଲାଥିଲା । ଏହାସହିତ ସେ ବିନା ବ୍ଲେଜରରେ ଶୁଣାଣି ପାଇଁ ଆସିଥିଲେ । ବିଚାରପତିଙ୍କ ପ୍ରଶ୍ନର ଉତ୍ତରରେ ଆନନ୍ଦ କହିଥିଲେ ଯେ ଖରାଦିନେ କୋଟ୍ ପିନ୍ଧିବାର କୌଣସି ନିୟମ ନାହିଁ । ଆଇଏଏସ ଅଧିକାରୀଙ୍କ ଏହି ଉତ୍ତରରେ ବିଚାରପତି ସନ୍ତୁଷ୍ଟ ନଥିବା ଦେଖିବାକୁ ମିଳିଥିଲା ।
କିଏ ଆନନ୍ଦ କିଶୋର ?
ବରିଷ୍ଠ IAS ଅଧିକାରୀ ଆନନ୍ଦ କିଶୋର ବର୍ତ୍ତମାନ ବିହାର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ । ସେ ୧୯୯୬ ମସିହାରେ UPSC ରେ ସମଗ୍ର ଭାରତରେ ଅଷ୍ଟମ ମାନ୍ୟତା ପାଇଥିଲେ । ଯେତେବେଳେ ନୀତିଶ କୁମାର ରେଳମନ୍ତ୍ରୀ ଥିଲେ, ଆନନ୍ଦ କିଶୋର ନାଳନ୍ଦାର ଡିଏମ ଥିଲେ । ସେ ସିଏମ ନୀତିଶ କୁମାରଙ୍କ ଦକ୍ଷ IAS ଅଧିକାରୀଙ୍କ ମଧ୍ୟରେ ସାମିଲ । ବିହାର ସ୍କୁଲ ପରୀକ୍ଷା କମିଟିର ଅଧ୍ୟକ୍ଷ ଆନନ୍ଦ କିଶୋରଙ୍କୁ ମଧ୍ୟ 'ପ୍ରଧାନମନ୍ତ୍ରୀ ପୁରସ୍କାର'ରେ ସମ୍ମାନିତ କରାଯାଇଛି ।