ମୁମ୍ବାଇ:ମୁଣ୍ଡବଥାର କାରଣ ସାଜିଛି ବିମାନ ସେବା ! ବିଭିନ୍ନ କାରଣରୁ ନେଇ ବର୍ତ୍ତମାନ ହେଡଲାଇନରେ ରହି ଆସୁଛି ଏୟାରଲାଇନ୍ସ । ଏହାରି ଭିତରେ ସ୍ପାଇସଜେଟରୁ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବିମାନ ଟଏଲେଟରେ ଫସିଗଲେ ଯାତ୍ରୀ, ବାହାରିନପାରି ଟଏଲେଟରେ ଶେଷ କରିଲେ ଯାତ୍ରା । ବିମାନ ଅବତରଣ କରିବା ପରେ କବାଟ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ମୁମ୍ବାଇ-ବାଙ୍ଗାଲୋର ସ୍ପାଇସଜେଟ ବିମାନରେ ଘଟିଛି ଏହି ଘଟଣା । ସ୍ପାଇସଜେଟ ବିମାନରେ ଜଣେ ଯାତ୍ରୀ ପ୍ରାୟ 1ଘଣ୍ଟା 40 ମିନିଟ ଧରି ଫସିରହିଥିଲେ । ଶୌଚାଳୟ ଗେଟରେ କୌଣସି ତ୍ରୁଟି ଯୋଗୁଁ ଯାତ୍ରୀ ଜଣକ ବାହାରି ନପାରି ସେଠାରେ ପ୍ରାୟ 2 ଘଣ୍ଟା ଧରି ରହିଥିଲେ । ବିମାନଟି ବେଙ୍ଗାଲୁରୁର କେମ୍ପାଗୁଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ କବାଟ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ତେବେ ଏନେଇ ବିମାନ ବନ୍ଦର ପକ୍ଷରୁ କୁହାଯାଇଛି ଯେ, SG-268 ବିମାନରେ ଯାତ୍ରୀ ଜଣକ ଫସି ରହିଥିଲେ । ସ୍ପାଇସଜେଟର ଏହି ବିମାନ ମଙ୍ଗଳବାର(16 ଜାନୁଆରୀ) ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ମୁମ୍ବାଇ ଏୟାରପୋର୍ଟରୁ ଉଡାଣ ଭରିଥିଲା । ହେଲେ ଉଡାଣ ଭରିବାର କିଛି ସମୟ ପରେ ଯାତ୍ରୀଜଣକ ଶୌଚାଳୟକୁ ଯାଇଥିଲେ । କିନ୍ତୁ ସେଠାରୁ ଆଉ ବାହାରି ପାରି ନଥିଲେ । କବାଟରେ ତ୍ରୁଟି ଯୋଗୁଁ ସେଠାରେ ସେ ପ୍ରାୟ 1 ଘଣ୍ଟା 40 ମିନିଟ ଧରି ଅଟକି ରହିଥିଲେ । କିନ୍ତୁ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ନେଇ ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ, ବାରଣାସୀରେ ସ୍ପାଇସଜେଟ ବିମାନର ଜରୁରୀ ଅବତରଣ