ନୂଆଦିଲ୍ଲୀ:ନୂତନ କାର୍ଯ୍ୟକାଳ ପାଇଁ ପୁନଃଗଠିତ ହୋଇଛି ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି । ଗୃହ, ସୂଚନା ପ୍ରଯୁକ୍ତିବିଦ୍ୟା, ପରିବେଶ ଏବଂ ଜଙ୍ଗଲ ଭଳି ୨୪ଟି କମିଟି ପୁନଃଗଠିତ ହୋଇଥିବାବେଳେ ଏକାଧିକ କଂଗ୍ରେସ ନେତା ପୂର୍ବପରି କମିଟି ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରିବେ । ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ସୂଚନା ପ୍ରଯୁକ୍ତି ବିଦ୍ୟା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବରେ ପୂର୍ବପରି କାର୍ଯ୍ୟ କରିବେ । ଗତ କିଛି ମାସ ହେବ ବିଜେପି ଥରୁରଙ୍କୁ ପଦରୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଥିଲା । ସେହିପରି କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ସାଂସଦ ଆନନ୍ଦ ଶର୍ମା ଗୃହ ବ୍ୟାପାର କମିଟିର ନେତୃତ୍ବ ଜାରି ରଖିବେ। ସେହିପରି କଂଗ୍ରେସ ନେତା ଜୟରାମ ରମେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ କମିଟିର ମୁଖ୍ୟ ରହିଛନ୍ତି ।
ବିଜେପି ସଦସ୍ୟ ସୁଶୀଲ କୁମାର ମୋଦିଙ୍କୁ ପର୍ସନାଲ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ କମିଟିର ଅଧ୍ୟକ୍ଷ କରାଯାଇଛି । ଏହାପୂର୍ବରୁ ଭୁପେନ୍ଦ୍ର ଯାଦବ ଏହି କମିଟିର ଅଧ୍ୟକ୍ଷ ଥିଲେ ଏବଂ ସେ ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ସହିତ ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ମଧ୍ୟ ରହିଛନ୍ତି ।