ନୂଆଦିଲ୍ଲୀ:ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର 29 ତାରିଖ ଯାଏ ଅଧିବେଶନ ଚାଲିବ । ଏହା ପୂର୍ବରୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣମାଧ୍ୟମ ଜରିଆରେ ସମ୍ବୋଧନ କରି ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି,'' ଆଜି ଶୀତକାଳିନ ଅଧିବେଶନର ପ୍ରଥମ ଦିନ । ଦେଶ ସ୍ବାଧୀନତା ହାସଲ କରିବାକୁ 75 ବର୍ଷ ପୂରଣ ହୋଇଛି ତେଣୁ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ।'' ସମସ୍ତ ରାଜନୈତିକ ଦଳ ଓ ନେତାଙ୍କୁ ପ୍ରଥମ ଥର ହୋଇଥିବା ସାଂସଦ, ନୂଆ ସାଂସଦ ଓ ଯୁବ ସାଂସଦଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଶୀତ ଅଧିବେଶନର ଆଜି ପ୍ରଥମ ଦିନ ଏହା ଗୁରୁତ୍ବପୂର୍ଣ୍ଣ କାରଣ ଅଗଷ୍ଟ 15 ପୂର୍ବରୁ ଆମେ ସାକ୍ଷାତ ହୋଇଥିଲେ । ଆଜି ଏପରି ସମୟରେ ଆମେ ସାକ୍ଷାତ ହୋଇଛି ଯେଉଁଥିରେ ଦେଶକୁ ଜି-20ରେ ଅଧକ୍ଷତା କରିବାକୁ ସୁଯୋଗ ମିଳିଛି । ବିଶ୍ବରେ ଭାରତକୁ ଯେଉଁ ସ୍ଥାନ ମିଳିଛି ସେହି ସମୟରେ ଦେଶକୁ ଜି-20 ଅଧ୍ୟକ୍ଷତା ମିଳିବା ଏକ ବଡ ଅବସର । ଏହି ଜି-20 ସମ୍ମିଳନୀ କେବଳ ସମ୍ମିଳନୀ ନୁହେଁ ଏହା ଭାରତର ସାମର୍ଥ୍ୟକୁ ବିଶ୍ବ ଆଗରେ ପ୍ରକାଶ କରିବାର ଅବସର ।'' ବର୍ତ୍ତମାନର ସମୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । କେମିତି ବୈଷୟିକ ପରିସ୍ଥିତିରେ ଭାରତକୁ ଆଗକୁ ନିଆଯାଇପାରିବ ସେନେଇ ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଛନ୍ତି ।