ନୂଆଦିଲ୍ଲୀ:ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଆଉ ୨ ଜଣଙ୍କୁ ଅଟକ ରଖାଯାଇଛି । ଏହି ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗୁରୁବାର ରାତିରେ ୨ ଜଣ ସନ୍ଦିଗ୍ଧକୁ ଉଠାଇ ଆଣି ଅଟକ ରଖିଛି । ଦୁହିଁଙ୍କ ନାମ ମହେଶ ଓ କୈଳାଶ ଏବଂ ଘର ରାଜସ୍ଥାନରେ ବୋଲି ଜଣାପଡିଛି । ସୁରକ୍ଷା ଭଙ୍ଗ ମାମଲାରେ ପୂର୍ବରୁ ଗିରଫ ୫ ଅଭିଯୁକ୍ତଙ୍କ ସହ ଏହି ଦୁଇ ଜଣଙ୍କ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।
ଅଟକ ଥିବା ମହେଶ ଓ କୈଳାସ 'ଜଷ୍ଟିସ ଫର୍ ଆଜାଦ ଭଗତ ସିଂହ' ସୋସିଆଲ ମିଡିଆ ଗ୍ରୁପ ସହ ଜଡିତ ଥିଲେ । ଘଟଣା ସମ୍ପର୍କରେ ସ୍ପେଶାଲ ସେଲର ଇଣ୍ଟେଲିଜିଏନ୍ସ ୟୁନିଟ୍ ଦୁହିଁଙ୍କୁ ପଚରାଉଚରା କରୁଛି । ତେବେ ଜେରା ସମୟରେ ଜଣାପଡ଼ିଛି ଯେ, ମହେଶ ମଧ୍ୟ ସଂସଦରେ ଆତଙ୍କ ମଚାଇଥିବା ଉକ୍ତ ଟିମ୍ରେ ସାମିଲ ହେବାକୁ ଚାହୁଁଥିଲା । ହେଲେ ଏ ବିଷୟରେ ଜାଣି ପରିବାର ଲୋକେ ତାକୁ ଅଟକାଇ ଥିଲେ । ଏହାବ୍ୟତୀତ ମହେଶ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝା'କୁ ସାହାଯ୍ୟ କରିଥିଲା । ରାଜସ୍ଥାନରେ ରହିବାକୁ ଲଳିତ ପାଇଁ ଘର ବ୍ୟବସ୍ଥା କରିବା ସହି ସେ ଦିଲ୍ଲୀରୁ ରାଜସ୍ଥାନ ପହଞ୍ଚିବା ପରେ ପ୍ରମାଣ ନଷ୍ଟ କରିବାକୁ ତା'ର ସହଯୋଗୀଙ୍କ ମୋବାଇଲ ଫୋନ୍ ଜାଳି ଦେଇଥିଲା ।
ଏହା ମଧ୍ୟ ପଢନ୍ତୁ: ସଂସଦ କାଣ୍ଡ: ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଗିରଫ
ସୂତ୍ର ଅନୁସାରେ, ପଚରାଉଚରା ବେଳେ ଜଣାପଡିଛି ଯେ ସଂସଦରେ ଆତଙ୍କ ସୃଷ୍ଟି ପାଇଁ ଅନେକ ମାସ ଆଗରୁ ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ସଂସଦ ଭବନରେ ପ୍ରବେଶ ପାଇଁ ଅଭିଯୁକ୍ତଙ୍କୁ ଏଣ୍ଟ୍ରି ପାସ୍ ଦରକାର ଥିଲା । କିନ୍ତୁ ଏହା ସେମାନଙ୍କୁ ମିଳୁନଥିଲା । ପାସ୍ ବ୍ୟବସ୍ଥା କରିବା ପାଇଁ ଲଳିତ ଅନେକ ଲୋକଙ୍କୁ କହିଥିଲା । ସେ ରାଜସ୍ଥାନରେ ରହି ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମରେ ସଂସଦ ଭବନର ସୁରକ୍ଷା ବ୍ୟବସ୍ଥା ଉପରେ ଲଗାତାର ନଜର ରଖୁଥିଲା । ତେବେ ଏହି ଘଟଣାର ଅଧିକ ତଥ୍ୟ ପାଇଁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଗୋଟିଏ ୬ ଜଣିଆ ଟିମ୍ ଗଠନ କରିଛି । ଏହି ଟିମ୍ ଅଭିଯୁକ୍ତଙ୍କ ଲିଙ୍କ୍ ଥିବା ଲକ୍ଷ୍ନୌ, ମହୀଶୂର, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ହରିଣାୟାର ବିଭିନ୍ନ ଠିକଣାକୁ ଯାଇ ଛାନଭିନ କରିବ ।
ତଦନ୍ତରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ସଂସଦରେ ଜୋତା ଯାଞ୍ଚ ହେଉନଥିବା ନେଇ ଅଭିଯୁକ୍ତମାନେ ଜାଣିବାକୁ ପାଇଥିଲେ । ସେଥିପାଇଁ ସେମାନେ ଲକ୍ଷ୍ନୌରେ ହଳେ ସ୍ବତନ୍ତ୍ର ଜୋତା ତିଆରି କରିବାକୁ ବରାଦ ଦେଇଥିଲେ । ଯାହାମଧ୍ୟରେ ସେ ସ୍କୋକ କାନିଷ୍ଟରକୁ ଲୁଚାଇ ନେଇ ଲୋକସଭାରେ ପ୍ରବେଶ କରିଥିଲେ । ତେବେ ଆସନ୍ତା ଶନିବାର କିମ୍ବା ରବିବାର ଦିନ ଦିଲ୍ଲୀ ପୋଲିସ ସଂସଦରେ ଏହି ଘଟଣାର ସିନ୍ ରିକ୍ରିଏସନ କରିପାରେ ବୋଲି ସୂଚନା ମିଳିଛି ।