ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ସଂସଦ ମଧ୍ୟକୁ ପ୍ରବେଶ କଲେ 2 ଜଣ ସନ୍ଦିଗ୍ଧ ବ୍ୟକ୍ତି । ଲୋକସଭା ସଦନର ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁପଡିଥିବା ସୂଚନା । 2 ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସଂସଦର ସୁରକ୍ଷା କର୍ମୀ କାବୁ କରିଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଏତେବଡ ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ଅଜଣା ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେମାନଙ୍କ ନାମ ନିଲମ ସିଂହ ଏବଂ ଅମୋଲ ସିନ୍ଦେ। ଦିଲ୍ଲୀ ପୋଲିସ ଏହା ସ୍ପଷ୍ଟ କରିଛି। ତେବେ ଏହା ଆତଙ୍କୀ ହମଲା ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସ୍ମୋକର ଯାଞ୍ଚ କରାଯାଇଛି । କୌଣସି ଚିନ୍ତାର ବିଷୟ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଲୋକସଭା ସିସିଟିଭି ଫୁଟେଜରୁ ଏନେଇ ସ୍ପଷ୍ଟ ହୋଇଛି । ସିସିଟିଭି ଫୁଟେଜ ଅନୁଯାୟୀ, 2 ଜଣ ବ୍ୟକ୍ତି ହାତରେ କଲର୍ସ ସ୍ମୋକ ଧରି ଲୋକସଭାର ଦର୍ଶକ ଗ୍ୟାଲେରିରୁ ଡେଇଁ ଚାମ୍ବର ମଧ୍ୟକୁ ପଶିଆସୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆଉ ଜଣେ ମହିଳା ଓ ଜଣେ ପୁରୁଷ ସଂସଦ ବାହାରେ ମଧ୍ୟ କଲର୍ସ ସ୍ମୋକ ଧରି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ମଧ୍ୟ ସଂସଦର ସୁରକ୍ଷାକର୍ମୀ କାବୁ କରିଛନ୍ତି ।
ଅନ୍ୟପଟେ ଏନେଇ ଲୋକସଭା ସାଂସଦ କିଛି ସମୟ ପାଇଁ ମୁଲତବୀ ରହିବା ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ସଂସଦକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି ।