ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗ ଘଟଣାର ଛାନଭିନ ଆରମ୍ଭ ହୋଇଛି । ଦିଲ୍ଲୀ ପୋଲିସ ଏବଂ ଗୁଇନ୍ଦା ବିଭାଗ ପକ୍ଷରୁ ତଦନ୍ତ ଚାଲିଛି । ଗୁଇନ୍ଦା ଟିମ୍ ସଂସଦ ଭବନରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି । ଲୋକସଭାରେ ଭିତରେ ପଶି, ଦର୍ଶକ ଗ୍ୟାଲେରୀରୁ ଗୃହ ଭିତରକୁ ଡେଇଁଥିବା ଦୁଇ ଜଣ ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଞ୍ଜନଙ୍କୁ ଗୁଇନ୍ଦା ଟିମ୍ ଜେରା କରିଛି । ଏହାସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ଯ ପଚରା ଉଚରା କରାଯାଉଛି। ଗୁଇନ୍ଦା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ , 6 ଜଣ ଯାକ ଅଭିଯୁକ୍ତଙ୍କ ଜନ୍ମସ୍ଥାନକୁ ପଠାଯାଇଛି ।
ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାରେ ଅଭଯୁକ୍ତ ନୀଲମ ଏବଂ ଅମୋଲଙ୍କୁ ଗୃହ ବାହାରେ କାବୁ କରିଥିଲେ ସୁରକ୍ଷା କର୍ମୀ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସେମାନେ ଲୋକସଭା ଭିତରକୁ ମୋବାଇଲ୍ ଫୋନ୍ ନେଇ ନଥିଲେ। ସେମାନଙ୍କ ବ୍ଯାଗରେ କୌଣସି ପରିଚୟ ପତ୍ର ମଧ୍ଯ ନଥିଲା । ଆଇବି ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ଶର୍ମାର ଘର ମହୀଶୂର । ଅଭିଯୁକ୍ତମାନଙ୍କ ଫୋନ ଜବତ ସହ, ସେମାନେ ଲିଙ୍କ ଥିବା ସଂସ୍ଥାଗୁଡ଼ିକ ଉପରେ ତଦନ୍ତ କରାଯାଉଛି । ସେମାନଙ୍କଠାରୁ ଜବତ ଲିଖିତ ସାମଗ୍ରୀର ମଧ୍ୟ ଅନୁସନ୍ଧାନ କରାଯାଉଛି । ସିସିଟିଭି ଫୁଟେଜ ଯାଞ୍ଚ ସହ ଅଭିଯୁକ୍ତମାନଙ୍କ ଗତିବିଧି ଅନୁଧ୍ୟାନ କରାଯାଉଛି ।
ପୁରୁଣା ସଂସଦ ଭବନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର 22 ବର୍ଷ ପୂର୍ତ୍ତିରେ ନୂଆ ସଂସଦରେ ସୁରକ୍ଷା ଉଲ୍ଲଂଘନ ଘଟଣା, ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଘଟଣାକୁ ଗମ୍ଭୀରତାର ସହ ନେବା ସହିତ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ଲୋକସଭାର ଶୂନ୍ୟକାଳରେ ଘଟିଥିଲା ଏହି ଅଘଟଣ। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ, ପୋଲିସ କମିଶନର ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି । 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବ ପୋଲିସ କମିଶନର ସୂଚନା ଦେଇଛନ୍ତି ।