ନୂଆଦିଲ୍ଲୀ:ସ୍ବାଭାବିକ ଭାବେ ଗତ ଡିସେମ୍ବର ୧୩ ତାରିଖରେ ଲୋକସଭାରେ ଚାଲିଥିଲା ଗୃହ କାର୍ଯ୍ୟ । ଏହି ସମୟରେ ହଠାତ୍ ଦର୍ଶକ ଗ୍ୟାଲେରୀରୁ ଡେଇଁ ଆତଙ୍କ ଖେଳାଇଥିଲେ ୨ ଦୁର୍ବୃତ୍ତ । ଆଉ ହଳଦିଆ ରଙ୍ଗର ଗ୍ୟାସ୍ ସ୍ପ୍ରେ କରିଥିଲେ । ତେବେ ଏତେ ସିକ୍ୟୁରିଟି ବ୍ୟବସ୍ଥା ଥିବା ବେଳେ ସେମାନେ କେଉଁଠି ଲୁଚାଇଥିଲେ ଏହି ସ୍ମୋକ୍ କ୍ୟାନଷ୍ଟର ବା ଗ୍ୟାସ କ୍ୟାନ୍ ? ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେବେ ଦିଲ୍ଲୀ ପୋଲିସ ଏଫଆଇଆରରେ କୁହାଯାଇଛି ଯେ ଏହି ଗ୍ୟାସ୍ କ୍ୟାନକୁ ଲୁଚାଇବା ଲାଗି ତିଆରି ହୋଇଥିଲା ସ୍ବତନ୍ତ୍ର ଜୋତା । ଯେଉଁଥିରେ ଗ୍ୟାସ କ୍ୟାନ ଲୁଚାଇ ସଂସଦ ଭିତରକୁ ପ୍ରବେଶ କରିଥିଲେ ୨ ଅଭିଯୁକ୍ତ ।
କେମିତି ଡିଜାଇନ ହୋଇଥିଲା ଜୋତା:ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ୨ ଅଭିଯୁକ୍ତ ମନୋରଞ୍ଜନ ଡି ଓ ସାଗର ଶର୍ମା ଏକ ସ୍ବତନ୍ତ୍ର ଧରଣର ଜୋତା ପିନ୍ଧିଥିଲେ । ଏହି କାର୍ଯ୍ୟ ଲାଗି ଉକ୍ତ ଜୋତାକୁ ଡିଜାଇନ କରାଯାଇଥିଲା । ଜୋତାର ତଳ ପାର୍ଶ୍ବରେ ମୋଟାର ଅନେକ ଆସ୍ତରଣ ଥିଲା । ଯେଉଁଥିରେ ଏହି ଗ୍ୟାସ କ୍ୟାନକୁ ଅଭିଯୁକ୍ତମାନେ ଲୁଚାଇ ରଖି ସଂସଦ ଭିତରକୁ ପ୍ରବେଶ କରିଥିଲେ । ଅଭିଯୁକ୍ତ ସାଗର ଶର୍ମାର ଜୋତାର ବାମ ପାର୍ଶ୍ବରେ କଟା ଦାଗ ରହିଥିଲା । ଗ୍ୟାସ କ୍ୟାନକୁ ଭର୍ତ୍ତି କରିବା ଲାଗି ଜୋତାର ତଳ ଆସ୍ତରଣକୁ ରବର ଦ୍ବାରା ମୋଟା କରାଯାଇଥିଲା । ଯେଉଁଥିରେ ସହଜରେ ରହିଥିଲା ଗ୍ୟାସ କ୍ୟାନ । ସେହିପରି ମନୋରଞ୍ଜନ ଡି'ର ଜୋତାର ବାମ ପାର୍ଶ୍ବରେ ସମାନ କଟା ଚିହ୍ନ ରହିଥିଲା । ଜୋତାକୁ କାଟି ସେମାନେ ଗ୍ୟାସ କ୍ୟାନକୁ ରବରର ମୋଟା ଆସ୍ତରଣ ଭିତରେ ଭର୍ତ୍ତି କରିଥିଲେ ।
ଏହା ବି ପଢନ୍ତୁ- ପୋଲିସ ରିମାଣ୍ଡରେ ମାଷ୍ଟରମାଇଣ୍ଡ ଲଳିତ ଝା, ସଂସଦ ସୁରକ୍ଷା ଭଙ୍ଗ ଷଡ଼ଯନ୍ତ୍ର ନେଇ ହେବ ମାରାଥନ ଜେରା