ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର 5 ଦିନିଆ ଅଧିବେଶନରେ ବହୁଜନ ସମାଜବାଦୀ ପାର୍ଟି ସାଂସଦ ଡାନିସ ଅଲ୍ଲୀଙ୍କୁ ଗୃହରେ ଆଲୋଚନା ବେଳେ ଶାସକ ଭାରତୀୟ ଜନତା ପାର୍ଟି ସାଂସଦ ରମେଶ ବିଧୁରୀଙ୍କ ଅପମାନଜନକ ମନ୍ତବ୍ୟ ଦେବା ମାମଲା ଏବେ ସଂସଦ ସ୍ବାଧିକାର କମିଟି ନିକଟରେ ପହଞ୍ଚିଛି । ଏହି ମାମଲାର ସଂସଦ ସ୍ବାଧିକାର କମିଟି ତଦନ୍ତ ଆରମ୍ଭ କରିଛି । ହେଲେ ଡାନିସଙ୍କ ଅଭିଯୋଗ ନେଇ କେବଳ ରମେଶ ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବରଂ ଅଭିଯୋଗ କରିଥିବା ବହୁଜନ ସମାଜବାଦୀ ପାର୍ଟି ସାଂସଦ ଡାନିସ ଅଲ୍ଲୀଙ୍କ ବିରୋଧରେ ମଧ୍ୟ ଏହି କମିଟି ତଦନ୍ତ କରିବ ।
ସେପ୍ଟେମ୍ବର 21ରେ ସଂସଦ ସ୍ବତନ୍ତ୍ର ଅଧିବେଶନ ଶେଷ ହେବା ପୂର୍ବରୁ ଚର୍ଚ୍ଚା ବେଳେ ରମେଶ ବିଧୁରୀ ଗୃହରେ ବିବୃତ୍ତି ରଖୁଥିଲେ । ଏହି ସମୟରେ ଡାନିସ ଅଲ୍ଲୀଙ୍କୁ ସେ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରି ଅପମାନିତ କରିବା ପରି ଆଚରଣ କରିଥିଲେ । ସେ ସିଧା ଡାନିସଙ୍କୁ ଉଗ୍ରବାଦୀ ବୋଲି ମଧ୍ୟ କହିବାକୁ ପଛାଇନଥିଲେ । ଏହାକୁ ନେଇ ଡାନିସ ଅଭିଯୋଗ କରିବା ପରେ ବିଜେପିର ଅନ୍ୟତମ ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଡାନିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଡାନିସ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବା ଓ ରମେଶ ବିଧୁରୀଙ୍କୁ ଉତ୍ତେଜିତ କରିବା ପାଇଁ ପ୍ରୟାସ କରିଥିବା ଚିଠିରେ ଅଭିଯୋଗ କରିଥିଲେ ଦୁବେ ।
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ପତ୍ରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବହୁଜନ ସମାଜବାଦୀ ପାର୍ଟି ସାଂସଦ ଡାନିଶ ଅଲ୍ଲୀଙ୍କୁ ଲୋକସଭାରେ ବିଜେପି ସାଂସଦ ରମେଶ ବିଧୁରୀଙ୍କ ଭାଷଣ ସମୟରେ ବାଧା ସୃଷ୍ଟି କରିବା ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ । ଏପରିକି ଦାନିଶ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ଏପରି କାରଣ ପାଇଁ ଭାଜପା ସାଂସଦ ବିଧୁରୀ ନିୟନ୍ତ୍ରଣ ହରାଇବା ସହ ତାଙ୍କ ପ୍ରତି ଏପରି ଶବ୍ଦ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲେ । ଦାନିଶଙ୍କ ବିରୋଧରେ ତାଙ୍କ କାର୍ଯ୍ୟକଳାପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ଦୁବେ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ।