ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିବେଶନ ଶେଷ ହେବାକୁ ଆଉ ଅଳ୍ପ ଦିନ ଥିବାବେଳେ, କିନ୍ତୁ ସ୍ବାଭାବିକ ହୋଇପାରିଲା ନାହିଁ ସଦନ । ଜୁଲାଇ ୧୯ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ କେବଳ ହଟ୍ଟଗୋଳ ହଙ୍ଗାମାରେ ଶେଷ ହୋଇଛି ଉଭୟ ସଦନ । ଆଉ ବିରୋଧୀଙ୍କ ଏହି ରଣନୀତି ଦେଖି ସରକାର ମଧ୍ୟ ବେଶ ଚତୁରତା ସହ ଗୋଟି ପରେ ଗୋଟି ବିଲ ପାରିତ କରାଇ ନେବାରେ ଲାଗିଛନ୍ତି ।
ମୌସୁମୀ ଅଧିବେଶନର ଆଜି ସପ୍ତଦଶ ଦିନ । ଆଜି ଲୋକସଭାରେ ଆସିବ ଗୁରୁତ୍ବପୂର୍ଣ୍ଣ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ ୨୦୨୧ ଏହି ବିଲ ଆଲୋଚନା ପାଇଁ କାର୍ଯ୍ୟସୂଚୀରେ ସ୍ଥାନ ପାଇଛି । ସେହିପରି ହୋମିଓପାଥୀ ବିଲ ମଧ୍ୟ ଆଗତ ହେବ । ଏହାବାଦ ଲୋକସଭାରେ ଭାରତୀୟ ସିଷ୍ଟମ ଅଫ ମେଡିସିନ ବିଲ ମଧ୍ୟ ଆଲୋଚନା ପାଇଁ ସରକାର ଆଗତ କରିବେ ।