ନୂଆଦିଲ୍ଲୀ:ମଣିପୁରରେ ମହିଳାଙ୍କ ଉଲଗ୍ନ ଭିଡିଓ ଘଟଣାକୁ ନେଇ କମ୍ପୁଛି ସଂସଦ । ମୌସୁମୀ ଅଧିବେଶନର ଦ୍ବିତୀୟ ଦିନର ଗୃହ ଅଚଳ ରହିଛି । ଉଭୟ ସଦନରେ ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନି । ମଣିପୁର ପ୍ରସଙ୍ଗରେ ଉଭୟ ସଦନରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ବିରୋଧି ଦାବି କରିଛନ୍ତି । ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ନେଇ ବାଚସ୍ପତି ସୋମବାର ଯାଏଁ ଲୋକସଭା ମୁତଲବୀ ଘୋଷଣା କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ମଧ୍ୟ ଗୃହରେ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ବିରୋଧି ଦଳ ସଦସ୍ୟ ଶାନ୍ତ ହୋଇନଥିଲେ । ଯାହାଫଳରେ ରାଜ୍ୟସଭାକୁ ପୂର୍ବାହ୍ନ ସାଢେ ୨ଟା ଯାଏଁ ମୁଲତବୀ ରଖାଯାଇଛି । ମଣିପୁରରେ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିରୋଧି ହଙ୍ଗାମା କରୁଛନ୍ତି ।
ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ମଣିପୁର ହିଂସା ନିହାତି ଭାବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଏହା ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ଚାହୁଁଛୁ ବୋଲି ପୂର୍ବରୁ ମୁଁ ସର୍ବଦଳୀୟ ବୈଠକରେ ସ୍ପଷ୍ଟ କରିଥିଲି । ପ୍ରଧାନମନ୍ତ୍ରୀ ମଧ୍ୟ ଅପରାଧିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସତ୍ତ୍ବେ କେତେକ ରାଜନୈତିକ ଦଳ ଅଯଥା ହଟ୍ଟଗୋଳ କରି ଏମିତି ପରିସ୍ଥିତି ସୃଷ୍ଟି କରୁଛନ୍ତି ଯଦ୍ବାରା ମଣିପୁର ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ।