ନୂଆଦିଲ୍ଲୀ: ହିଣ୍ଡନବର୍ଗ ରିପୋର୍ଟ ନେଇ ଆଜି ବି ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଛି । ଆଦାନୀ ଗ୍ରୁପ ବିରୁଦ୍ଧରେ ଆସିଥିବା ଷ୍ଟକ ଜାଲିଆତି ଅଭିଯୋଗ ଉପରେ ଆଲୋଚନା କରିବାକୁ ଦାବି କରି ବଜେଟ ଅଧିବେଶନର ଚତୁର୍ଥ ଦିନରେ ବିରୋଧି ପୁଣିଥରେ ହଙ୍ଗାମା କରିଛନ୍ତି । ବିରୋଧି ଦଳ ସାଂସଦମାନଙ୍କ ନାରାବାଜି ଓ ହୋହଲ୍ଲା ଯୋଗୁଁ ରାଜ୍ୟସଭାକୁ ପୂର୍ବାହ୍ନ ସାଢେ ୨ଟା ଯାଏଁ ମୁଲତବୀ ରଖାଯାଇଛି । ଲୋକସଭା ମଧ୍ୟ ୨ଟା ଯାଏଁ ମୁଲତବୀ ଘୋଷଣା ହୋଇଛି ।
ବିରୋଧି ଦଳ ହିଣ୍ଡନବର୍ଗ ରିପୋର୍ଟ ଏବଂ ଆଦାନୀ ଗ୍ରୁପ ଷ୍ଟକ ମୂଲ୍ୟରେ ହ୍ରାସ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅଡି ବସିଛନ୍ତି । ଏନେଇ ଆଜି ସକାଳ ୧୦ଟା ସମୟରେ ବିରୋଧି ଦଳ ଗୁଡିକ ରାଜ୍ୟସଭାର ବିରୋଧି ଦଳ ନେତା ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗଙ୍କ ଚାମ୍ବରରେ ଏକଜୁଟ ହୋଇଥିଲେ । ଡିଏମକେ, ସମାଜବାଦୀ ପାର୍ଟି, ବିଆରଏସ, ଆପ୍, ଆରଜେଡି, ଜେଡିୟୁ, ସିପିଏମ, ସିପିଆ, ଏନସିପି, ଏନସି ସମେତ ଅନ୍ୟାନ୍ୟ ବିରୋଧି ଦଳର ନେତା ବୈଠକରେ ଉପସ୍ଥିତ ହୋଇଥିଲେ । ସେଠାରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ସେମାନଙ୍କର ଦାବି ସମାନ । ବିରୋଧି ଦଳ ଆଦାନୀ ଗ୍ରୁପ ବିରୁଦ୍ଧରେ ନିରପକ୍ଷେ ତଦନ୍ତ ଚାହୁଁଛନ୍ତି । ଯାହାଦ୍ବାରା ଏଲଆଇସି, ଏସବିଆଇ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକୁ ରକ୍ଷା କରାଯାଇ ପାରିବ ।