ନୂଆଦିଲ୍ଲୀ: ଆଜି ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ ସମୟ ଉତ୍ତରରେ ବିଭିନ୍ନ ପ୍ରସଙ୍ଗରେ ମୋଦି ନିଜ ସରକାରର ଉପଲବ୍ଧିକୁ ଗୃହରେ ରଖିଥିବା ବେଳେ କୋଭିଡ ସମୟରେ ଦେଖାଯାଇଥିବା ସଂକ୍ରମଣ, ଅର୍ଥନୈତିକ ଓ ପ୍ରବାସୀ ଶ୍ରମିିକ ସଙ୍କଟ ନେଇ ସିଧାସଳଖ କଂଗ୍ରେସକୁ ଦାୟୀ କରିଛନ୍ତି ।
କଠୋର ସମାଲୋଚନା କରି ମୋଦି କହିଥିଲେ କଂଗ୍ରେସ ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ସଙ୍କଟକୁ ବଢାଇଛି । ସେମାନଙ୍କୁ ମହାରାଷ୍ଟ୍ରରୁ ନିଜ ରାଜ୍ୟକୁ ଫେରିବାକୁ ପ୍ରୋତ୍ସାହିତ କରିଛି । ଫଳରେ ଦେଶରେ କୋଭିଡ ଲକଡାଉନ ସମୟରେ ଶ୍ରମିକମାନଙ୍କୁ ଅନେକ ଯାତନା ସହ୍ୟ କରିବାକୁ ପଡିଛି । ଯାହା କଂଗ୍ରେସର ପାପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ନିର୍ଦ୍ଦିଷ୍ଟ ଭାବେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଉଲ୍ଲେଖ କରି ମହାରାଷ୍ଟ୍ର ଓ ଦିଲ୍ଲୀ ସ୍ଥିତିକୁ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କୋଭିଡ ଲକଡାଉନ ଜାରି ରହିଥିବା ବେଳେ ମହାରାଷ୍ଟ୍ର ଓ ଦିଲ୍ଲୀରେ ଅନେକ ମାତ୍ରାରେ ସାରା ଦେଶରୁ କର୍ମସଂସ୍ଥାନ ପାଇଁ ଆସିଥିବା ଶ୍ରମିକମାନଙ୍କ ମଧ୍ୟରେ ଭୀଷଣ ଅସ୍ଥିରତା ସୃଷ୍ଟି କରିଥିଲେ । ଲକଡାଉନ ସତ୍ତ୍ବେ ମଧ୍ୟ ସେମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ପ୍ରୋତ୍ସାହିତ କରିବା ସହ ରାଜନୀତି ପାଇଁ ସେମାନଙ୍କ ସମସ୍ୟାକୁ ବଢାଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।