ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ସିପିପି କାର୍ଯ୍ୟାଳୟରେ ସଂସଦ ଭବନରେ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ବୈଠକ ଡାକିଛି । କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଣିବା ନେଇ ଚର୍ଚ୍ଚା ହେଉଛି । ଆସନ୍ତା ସପ୍ତାହରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । ଗୃହରେ ବିପକ୍ଷ ସଦସ୍ୟଙ୍କୁ କହିବାକୁ ଦିଆଯାଉନାହିଁ । ଏନେଇ ବିରୋଧୀ ଅସନ୍ତୋଷ ଜାହିର କରିଛନ୍ତି ।
ମିଳିଥିବା ମିଡିଆ ରିପୋର୍ଟ ଅନୁସାରେ, କଂଗ୍ରେସ ନେତାଙ୍କ ବୈଠକରେ ଏହି ସମ୍ବନ୍ଧରେ ପ୍ରସ୍ତାବ ରଖାଯାଇଥିଲା । ବିପକ୍ଷ ଦଳଙ୍କ ସହମତିରେ ଲୋକସଭା ବାଚସ୍ପତି ଓମ ବର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ । କୁହାଯାଉଛି କି କଂଗ୍ରେସ ଏନେଇ ଅନ୍ୟ ବିରୋଧୀ ଦଳଙ୍କ ସହ ବିଚାରବିମର୍ଷ କରୁଛି । ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ରାଜନୀତି ସରଗରମ ହୋଇଥିଲା ।
ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ବିରୋଧ କରି କଂଗ୍ରେସ ସଂସଦରେ ପ୍ରସଙ୍ଗ ଉଠାଇଥିଲା । ଏହା ସହ ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହିଁଥିଲା ମାତ୍ର ଦଳକୁ ଗୃହରେ ଏହି ମୁଦ୍ଦା ଉପରେ କହିବାକୁ ଦିଆଯାଉନଥିଲା । ଏନେଇ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କଂଗ୍ରେସକୁ 50 ସଦସ୍ୟଙ୍କ ସମର୍ଥନ ଲୋଡା । ଏହାରି ଭିତରେ ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଲୋକତନ୍ତ୍ର ବଞ୍ଚାଅ ଅନ୍ଦୋଳନ କରିଛି । ଏହି ଆନ୍ଦୋଳନ ସମୟରେ ଦଳର ଅନେକ ନେତା ଓ କର୍ମୀଙ୍କୁ ପୋଲିସ ହେପାଜତକୁ ନେଇଛି ।