ନୂଆଦିଲ୍ଲୀ:ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏହା ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି । ଫେବ୍ରୁଆରୀ ୧ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଏବେ କାମଚଳା ବଜେଟ ଉପସ୍ଥାପନ କରାଯିବ । ନିର୍ବାଚନ ପରେ ନବ ନିର୍ବାଚିତ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ ।
ସୂଚନା ଅନୁସାରେ ଜାନୁଆରୀ ୩୧ ତାରିଖରେ, ବଜେଟ ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧିତ କରିବେ । ସୂତ୍ର ଅନୁସାରେ ଏହି କାମଚଳା ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ, ପିଏମ୍ କିଶାନ ସମ୍ମାନ ନିଧିକୁ ଦୁଇଗୁଣା କରିପାରନ୍ତି । ଏହା ମହିଳା କୃଷକମାନଙ୍କ ପାଇଁ କରାଯିବାର ସମ୍ଭାବନା ରହିଛି । ଯଦି ଏହା କରାଯାଏ, ତେବେ ଏଥିପାଇଁ ୧୨୦୦୦ କୋଟିର ଅଧିକ ବୋଝ ପଡ଼ିପାରେ । କେନ୍ଦ୍ରରେ ବିଜେପି ସରକାର ଚଳିତବର୍ଷ ନିର୍ବାଚନକୁ ଯାଉଥିବା ବେଳେ, କୃଷି କ୍ଷେତ୍ରରେ ମହିଳା ସଶକ୍ତୀକରଣ ପାଇଁ ଏହି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏହା ମଧ୍ୟ ପଢ଼ନ୍ତୁ: ବଜେଟ ବିଷୟରେ ଜାଣିବା କାହିଁକି ? ସାଧାରଣ ଲୋକଙ୍କ ଜୀବନରେ ଏହାର ପ୍ରଭାବ କଣ ? ଜାଣନ୍ତୁ...