ନୂଆଦିଲ୍ଲୀ: 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାମାରୀ କୋରୋନା ଭୟ ମଧ୍ୟରେ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆପଣ ପରୀକ୍ଷାକୁ ଭୟ କରନ୍ତି ନାହିଁ । ଆପଣ ଅନ୍ୟ କାହାକୁ ଭୟ କରୁଛନ୍ତି ଏବଂ ତାହା କ’ଣ? ଆପଣଙ୍କ ଚାରିପାଖରେ ଏକ ପରିବେଶ ସୃଷ୍ଟି ହୋଇଛି ଯେ ଏହି ପରୀକ୍ଷା ସବୁକିଛି, ଏହା ହେଉଛି ଜୀବନ । ଆବଶ୍ୟକତାଠାରୁ ଆମେ ଅଧିକ ଚିନ୍ତାଗ୍ରସ୍ତ ହୋଇପଡନ୍ତି | ଆମେ ଟିକିଏ ଅଧିକ ଭାବିବା ଆରମ୍ଭ କରିଦେଉ । ତେବେ ପରୀକ୍ଷା ଜୀବର ଶେଷ ପାହାଚ ନୁହେଁ ବୋଲି କହିଛନ୍ତି ମୋଦି ।
ପିଏମ ମୋଦି କହିଛନ୍ତି, ଏହି ଜୀବନ ବହୁତ ଲମ୍ବା, ଅନେକ ମୋଡ ଆସିଥାଏ । ପରୀକ୍ଷା ଏକ ଛୋଟ ମୋଡ । ଶିକ୍ଷକ, ଛାତ୍ର, ପରିବାର, ବନ୍ଧୁ କେହି ବି ଚାପ ସୃଷ୍ଟି କରିବା ଉଚିତ ନୁହେଁ । ଯଦି ବାହ୍ୟ ଚାପ ହ୍ରାସ ହୁଏ, ତେବେ ପରୀକ୍ଷାର ଚାପ କେବେବି ଅନୁଭବ ହେବ ନାହିଁ । ଆତ୍ମବିଶ୍ୱାସ ବୃଦ୍ଧି ହେବ ଆଉ ଚାପ ହ୍ରାସ ହେବ ବୋଲି କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଖାଲି ସମୟକୁ ଖାଲି ବୋଲି ଭାବନ୍ତୁ ନାହିଁ, ଏହା ଏକ ବହୁମୂଲ୍ୟ ସମ୍ପତ୍ତି । ଖାଲି ସମୟ ଏକ ସୌଭାଗ୍ୟ, ଖାଲି ସମୟ ହେଉଛି ଏକ ସୁଯୋଗ | ନିତ୍ୟକର୍ମରେ ଖାଲି ସମୟର କିଛି ମୁହୂର୍ତ୍ତ ରହିବା ଉଚିତ, ନଚେତ ଜୀବନ ଏକ ରୋବଟ ପରି ହୋଇଯାଏ । ଜୀବନ ଏପରି ହେବା ଉଚିତ ଯେ ଯେତେବେଳେ ଖାଲି ସମୟ ବ୍ୟବହାର କରିବା, ଏହା ଅସୀମ ଆନନ୍ଦ ଦେବ ।