କୋଲକାତା:ଅଭିନେତା ତଥା ବିଜେପି ପ୍ରଚାରକ ପରେଶ ରାଓ୍ବଲଙ୍କୁ ଆଶ୍ବସ୍ତି । ତାଙ୍କ ବିରୋଧରେ ଆସନ୍ତା ସୋମବାର ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ କୋଲକାତା ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ମହମ୍ମଦ ସଲିମ ତଲତଲା ଥାନାରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଗତକାଲି କୋଲକାତା ହାଇକୋର୍ଟରେ ତାଙ୍କର ଶୁଣାଣି ରହିଥିବା ବେଳେ ଜଷ୍ଟିସ ରାଜ ଶେଖର ମନଥା ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ।
ତେବେ ଗତ ୧ ତାରିଖ ଦିନ କୋଲକାତା ପୋଲିସ ବିରୋଧରେ ପଶ୍ଚିମବଙ୍ଗ ହାଇକୋର୍ଟର ଦାରସ୍ଥ ହୋଇଥିଲେ ପରେଶ ରାଓ୍ବଲ । ତେବେ ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ କୋର୍ଟ କହିଛନ୍ତି ।
ଏହି କାରଣ ପାଇଁ ପରେଶ ରାଓ୍ବଲଙ୍କ ବିରୋଧରେ ଦିଆଯାଇଥିଲା ଏତଲା: ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ପରେଶ ରାଓ୍ବଲ ବଙ୍ଗାଳିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଫସିଥିଲେ । ପରେଶ ବଙ୍ଗୀୟଙ୍କ ମାଛ ରାନ୍ଧିବା କଥାକୁ ନେଇ ମଧ୍ୟ ଟାର୍ଗେଟ୍ କରିଥିଲେ । ସେ କହିଥିଲେ, " ଗ୍ୟାସ ସିଲିଣ୍ଡରର ଦର ଅଧିକା ରହିଛି କିନ୍ତୁ ପରବର୍ତ୍ତୀ ସମୟରେ ଦର କମିଯିବ । ଲୋକ ରୋଜଗାର ମଧ୍ୟ ପାଇବେ । କିନ୍ତୁ ଦିଲ୍ଲୀ ଭଳି ଆପଣଙ୍କ ଚାରିପାଖରେ ଯଦି ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାମାନେ ରହିବେ ତାହାଲେ କଣ ହେବ ? ଆପଣ ଗ୍ୟାସ ସିଲିଣ୍ଡରକୁ ନେଇ କଣ କରିବେ ? କଣ ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବେ ?"