ଡେରାଡୁନ:ପୁଅ ବୋହୂଙ୍କ ଅନାଗ୍ରହ ପାଇଁ ନାତି ନାତୁଣୀଙ୍କ ସୁଖ ପାଇବାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧ ଦମ୍ପତି । ଫଳରେ ପୁଅ ବୋହୁଙ୍କ ବିରୋଧରେ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ହରିଦ୍ୱାରର ବୃଦ୍ଧ ଦମ୍ପତି ସଞ୍ଜୀବ ରଞ୍ଜନ ପ୍ରସାଦ ଓ ତାଙ୍କ ପତ୍ନୀ ସାଧନା ନିଜ ଏକମାତ୍ର ପୁତ୍ର ଓ ବୋହୂଙ୍କ ନାମରେ ହରିଦ୍ବାର କୋର୍ଟରେ ଏହି ମାମଲା ଦାଏର କରିଛନ୍ତି । ତାଙ୍କୁ ନାତି ନାତୁଣୀ ନମିଳିଲେ 5 କୋଟି ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ ଆବେଦନରେ ଦର୍ଶାଇଛନ୍ତି ଏହି ଦମ୍ପତି । ଗୁରୁତ୍ବପୂର୍ଣ୍ଣ କଥା ହେଲେ ସମାନଙ୍କ ପୁଅ ବୋହୁ ଏପର୍ଯ୍ୟନ୍ତ ପରିବାର ନିୟୋଜନ ନେଇ କୌଣସି ଯୋଜନା କରିନାହାନ୍ତି ।
ସୂଚନା ଅନୁସାରେ, ହରିଦ୍ୱାରର ବାସିନ୍ଦା ସଞ୍ଜୀବ ରଞ୍ଜନ ପ୍ରସାଦ BHEL ରେ କାର୍ଯ୍ୟରତ ଥିବା ବେଳେ ନିକଟରେ ଅବସର ନେଇଛନ୍ତି । ସେ ବର୍ତ୍ତମାନ ପତ୍ନୀ ସାଧନାଙ୍କ ସହ ଏକ ହାଉସିଂ ସୋସାଇଟି ରହୁଛନ୍ତି । 2016 ମସିହାରେ ଏହି ଦମ୍ପତି ନିଜ ଏକମାତ୍ର ପୁଅ ଶ୍ରେୟ ସାଗରଙ୍କୁ ନୋଏଡା ବାସିନ୍ଦା ଶୁଭାଙ୍ଗୀ ସିହ୍ନାଙ୍କ ସହ ବିବାହ କରାଇଥିଲେ । ପୁଅ ପାଇଲଟ ଥିବା ବେଳେ ଏବଂ ବୋହୂ ନୋଏଡାରେ ଚାକିରି କରନ୍ତି । ତେବେ ଉଭୟ ସନ୍ତାନ ପାଇଁ ଏପର୍ଯ୍ୟନ୍ତ କୌଣସି ଯୋଜନା କରିନାହାନ୍ତି । ତେଣୁ ପରିଣତ ବୟସରେ ସେମାନଙ୍କୁ ନାତି ନାତୁଣି ସୁଖରୁ ବଞ୍ଚିତ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଦମ୍ପତି ।