ଅମରାବତୀ: ନିୟମିତ ମଦ୍ୟପାନ କରି ଘରେ ହିଂସା ଭିଆଉଥିଲା ପୁଅ । ପିତା-ମାତାଙ୍କୁ ନିର୍ଯାତନା ଦେଉଥିଲା । ପୈତୃକ ସମ୍ପତ୍ତି ବିକି ତାକୁ ଟଙ୍କା ଦେବା ପାଇଁ ବାରମ୍ବାର ପିତାମାତାଙ୍କ ଉପରେ ଜୁଲମ କରୁଥିଲା । ନିର୍ଯାତନାରେ ଅତିଷ୍ଠ ହୋଇ ଉଠିଥିଲେ ପିତାମାତା । ପୁଅକୁ ହତ୍ୟା କରିବା ପାଇଁ ମଧ୍ୟ ପଛାଇଲେ ନାହିଁ । ସୁପାରି ଦେଇ ଭଡାଟିଆ ଗୁଣ୍ଡା ଲଗାଇ ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲେ । ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା ଏପରି ଏକ ଅଭାବନୀୟ ଅଭିଯୋଗ ଆନ୍ଧ୍ର ପ୍ରଦେଶର ଭଦ୍ରାଚଲମରୁ ସାମ୍ନାକୁ ଆସିଛି । ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ମା’-ବାପାଙ୍କୁ ଗିରଫ କରିଛି । ସେମାନେ ପୁଅକୁ ମାରିବା ପାଇଁ 3 ଲକ୍ଷ ଟଙ୍କାର ସୁପାରୀ ଦେଇଥିବା ପ୍ରାଥମିକ ଭାବେ ଜଣାପଡିଛି ।
ଘଟଣା ଅନୁସାରେ, ଏହି ହତ୍ୟାକାଣ୍ଡ ଏହି ଚଳିତ ମାସ 10 ତାରିଖରେ ଆନ୍ଧ୍ର-ତେଲେଙ୍ଗାନା ସୀମାନ୍ତ ଆଲୁରି ସେଥାମାରାଜୁ ଜିଲ୍ଲାର ଏଟାପାକା ମଣ୍ଡଳରେ ଘଟିଥିଲା । ଗତକାଲି (ସୋମବାର) ଇଟାପାକା ପୋଲିସ ଷ୍ଟେସନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାମପାଚଦାଭରମ ଓଏସଡି କେ.ଭି ମହେଶ୍ୱର ରେଡ୍ଡୀ ଏହି ସୂଚନା ଦେଇଛନ୍ତି । ଉଭୟଙ୍କୁ ଗିରଫ କରାଯାଇଛି ।
ତେଲେଙ୍ଗାନାର ଭଦ୍ରାଚାଲମ୍ ମେଡିକାଲ୍ କଲୋନୀର ବାସିନ୍ଦା 57 ବର୍ଷୀୟ ପାଗିଲା ରାମୁ ଓ 55 ବର୍ଷୀୟା ସାବିତ୍ରୀ ନାମକ ଦମ୍ପତିଙ୍କ 35 ବର୍ଷୀୟ ପୁଅ ଦୁର୍ଗା ପ୍ରସାଦ ଅଭ୍ୟାସଗତ ନିଶାଖୋର ଥିଲା । ପ୍ରତିଦିନ ମଦ୍ୟପାନ କରି ଘରକୁ ଆସି ପରିବାର ସଦସ୍ୟଙ୍କ ସହ ଝଗଡା କରୁଥିଲା । ତାଙ୍କ ପରିବାର ନାମରେ ଥିବା କିଛି ସମ୍ପତ୍ତି ବିକ୍ରି କରି ତାକୁ ଟଙ୍କା ଦେବା ପାଇଁ ଦାବି କରୁଥିଲା । ଏହି କାରଣରୁ ଘରେ ସମସ୍ୟା ଲାଗି ରହିଥିଲା । ସେ ତାର ପିତାମାତାଙ୍କୁ ମଧ୍ୟ ନିଶାସକ୍ତ ଅବସ୍ଥାରେ ନିର୍ଯାତନା ଦେଉଥିଲା । ତାର ଏପରି ଆଚରଣରେ ପତ୍ନୀ ମୁନିକା ମଧ୍ୟ ଶାଶୁଘର ଛାଡି ବାପଘରକୁ ଚାଲିଯାଇଥିଲେ ।