ଇମ୍ଫାଲ: ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ମଣିପୁର ଅଶାନ୍ତି ଲାଗିରହିଛି । ବିଭିନ୍ନ ସ୍ଥାନରେ ପୋଡାଜଳା, ଲୁଟପାଟ ଚାଲିଛି । ଏଭଳି ପରିସ୍ଥିତରେ ଗୃହମନ୍ତ୍ରୀ ଅମିତ ଶାହ ହିଂସା ପ୍ରଭାବିତ ମଣିପୁର ଗସ୍ତ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ଘନ ଘନ ବୈଠକ କରୁଛନ୍ତି । ଶାହ ଇମ୍ଫାଲ ଓ ସୀମାବର୍ତ୍ତୀ ସହର ମୋରେହରେ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ସ୍ଥିତି ସୀମା କରିଛନ୍ତି । ହିଂସା ରୋକିବାକୁ ଏବଂ ଶାନ୍ତି ଫେରାଇ ଆଣିବାକୁ ଲୁଟ ହୋଇଥିବା ବନ୍ଧୁକ ଉଦ୍ଧାର କରି ଅପରାଧିଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହିଂସାର ନ୍ୟାୟିକ ତଦନ୍ତ ହେବା ନେଇ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ହିଂସା କ୍ଷତିଗ୍ରସ୍ତ ରାଜ୍ୟର ସ୍ଥିତି ଅନୁଧ୍ୟାନ ପରେ ଆଜି ଗୃହମନ୍ତ୍ରୀ ଇମ୍ଫାଲରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଶାହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମଣିପୁରରେ ହିଂସାର ତଦନ୍ତ ପାଇଁ ନ୍ୟାୟିକ କମିଟି ଗଠନ ହେବ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯିବ । ହିଂସା ନେଇ ଏକ ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଛି । ଏଥିରେ ରାଜ୍ୟପାଳ ଅଧ୍ୟକ୍ଷତା କରିବେ । ହିଂସା ପୀଡିତଙ୍କୁ ସହାୟତା ପ୍ରଦାନ କରାଯିବ । ମୃତକଙ୍କ ଲାଗି ରାଜ୍ୟ ଓ କେନ୍ଦ୍ର ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଗୃହମନ୍ତ୍ରୀ ଘୋଷଣା କରିଛନ୍ତି ।
ଜରୁରୀକାଳୀନ ଆବଶ୍ୟକତା ପାଇଁ ହେଲିକପ୍ଟର ସେବା:ଅମିତ ଶାହ ଗତକାଲି କହିଥିଲେ ଯେ, ଅଶାନ୍ତ ମଣିପୁରରେ ଶାନ୍ତି ପ୍ରତିଷ୍ଠା ଏବଂ ଯଥାଶୀଘ୍ର ବିସ୍ଥାପିତ ଲୋକଙ୍କୁ ତାଙ୍କ ଘର ଘରକୁ ଫେରାଇବାକୁ ସରକାର ପ୍ରତିବଦ୍ଧ । ପାହାଡିଆ ଅଞ୍ଚଳରେ ଆବଶ୍ୟକୀୟ ସାମଗ୍ରୀର ଯୋଗାଣ ଏବଂ ଚାରଚନ୍ଦପୁର, ମୋରେହ ଓ କାଙ୍ଗପୋକପିରେ ଜରୁରୀକାଳୀନ ଆବଶ୍ୟକତା ପୁରା କରିବାକୁ ହେଲିକପ୍ଟର ସେବା ସୁନିଶ୍ଚିତ କରାଯିବ । ସେ କାଙ୍ଗପୋକପିରେ ଏକ ଆଶ୍ରୟସ୍ଥଳୀ ପରିଦର୍ଶନ କରି କୁକି ସମୁଦାୟର ଲୋକଙ୍କୁ ସହ ଆଲୋଚନା କରିଥିଲେ । ସେମାନେ କିପରି ଖୁବଶୀଘ୍ର ନିଜ ଘରକୁ ଫେରିପାରିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଥିଲେ ।