ମୁମ୍ବାଇ: ଚଳନ୍ତା କାରରେ ମହିଳାଙ୍କୁ ଅସଦାଚରଣ ପରେ ୧୦ ମାସର ଶିଶୁକନ୍ୟାକୁ ଗାଡିରୁ ଫିଙ୍ଗିଦେଲା ଜହ୍ଲାଦ । ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଡ୍ରାଇଭର ବିଜୟ କୁଶଓ୍ବାହା ବୋଲି ଜଣାପଡିଛି । ପାଲଘର ମାଣ୍ଡଭି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସୂଚନା ମିଳିଛି ।
ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ମହିଳା ଜଣଙ୍କ ଗାଡିରୁ ପଡିଯାଇଥିବା ବେଳେ ସେ ଆହତ ହୋଇଛନ୍ତି । ଏହି ଘଟଣା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏହାପରେ ମାଣ୍ଡଭି ପୋଲିସ ଷ୍ଟେସନରେ ଆଇପିସି ଧାରା 304 ଏବଂ 354ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି । ଶିଶୁ କନ୍ୟାଟିକୁ ଗାଡି ବାହାରକୁ ଫୋପାଡି ଦେଇଥିବା ତାର ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣଙ୍କ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି'' ।