ନୂଆଦିଲ୍ଲୀ: ସତ ବଖାଣିଲା ଗିରଫ ହୋଇଥିବା ଆତଙ୍କୀ ବାବର । କ୍ୟାମେରା ସାମ୍ନାରେ ଖୋଲିଲା ପାକିସ୍ତାନର କଳାକାରନାମା । ପାକିସ୍ତାନ ସେନା ଦେଇଥିଲେ ପ୍ରଶିକ୍ଷଣ । ଆଉ ISI ଦେଖାଇଥିଲା ଟଙ୍କାର ଲୋଭ । ଉରି ଭଳି ବଡ ଆକ୍ରମଣର ରହିଥିଲା ଯୋଜନା । ନିଜ ସ୍ବୀକାରୋକ୍ତିରେ ସବୁ ସତ ଓଗାଳିଛି ଗିରଫ ଆତଙ୍କବାଦୀ ବାବର ।
ଜମ୍ମୁକଶ୍ମୀର ଉରି ସେକ୍ଟରରୁ ଗିରଫ ହୋଇଥିବା ଲସ୍କର ଏ ତୋଏବାର ଆତଙ୍କବାଦୀ ଅଲ୍ଲୀ ବାବର ଗଣମାଧ୍ୟମ ସାମ୍ନାରେ ଖୋଲିଦେଇଛି ପାକିସ୍ତାନର ଅସଲି ମୁଖା। ପାକିସ୍ତାନରେ କେମିତି ମିଳିଥିଲା ଟ୍ରେନିଂ, କିଭଳି ଥିଲା ଆତଙ୍କୀ ଆକ୍ରମଣର ଯୋଜନା ଓ ଏଥିପାଇଁ ପାକିସ୍ତାନ କେମିତି ଅର୍ଥ ଲୋଭ ଦେଖାଇଥିଲା, ଏହି ତମାମ ଘଟଣାର ସତ ପ୍ରକାଶ କରିଛି ୧୯ ବର୍ଷୀୟ ପାକିସ୍ତାନ ଆତଙ୍କୀ ଅଲି ବାବର ।
ଉରି ଭଳି ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ଭାରତ ପଠାଇଥିଲା ପାକିସ୍ତାନ । ଏଥିପାଇଁ ଆତଙ୍କବାଦୀଙ୍କୁ ପାକିସ୍ତାନରେ ଦିଆଯାଇଥିଲା ସ୍ବତନ୍ତ୍ର ପ୍ରଶିକ୍ଷଣ । ୯ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନରେ ୩ ସପ୍ତାହ ଧରି ଟ୍ରେନିଂ ଦିଆଯାଇଥିବା ବାବର ନିଜ ସ୍ବୀକାରୋକ୍ତିରେ କହିଛି ।
ବାବରର କହିବାନୁଯାୟୀ, ଲସ୍କର-ଏ-ତୋଏବା ସହ ସାମିଲ ହେବା ପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ତାକୁ ଦେଇଥିଲା ୨୦ ହଜାର ଟଙ୍କା । କାରଖାନାରେ କାମ କରିବା ସମୟରେ ISI ଓ ଲସ୍କର ଆତଙ୍କୀଙ୍କ ସହ ବାବରର ହୋଇଥିଲା ସାକ୍ଷାତ । ଗରିବ ଓ ଅସହାୟଙ୍କୁ ଜିହାଦ ଆଳରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଲସ୍କର ସେମାନଙ୍କୁ ଟ୍ରେନିଂ ଦେଉଥିବା କହିଛି ବାବର । ଗିରଫଦାର ଆତଙ୍କୀ ଏହା ମଧ୍ୟ ମାନିଛି ଯେ ଭାରତୀୟ ସେନା ତା ସହ କୌଣସି ଖରାପ ବ୍ୟବହାର କିମ୍ବା ଅତ୍ୟାଚାର କରିନାହାଁନ୍ତି ।