ପାଟନା:ବିହାରର କିଶନଗଞ୍ଜରେ ଭାରତ-ନେପାଳ ଅନ୍ତର୍ଜାତୀୟ ସୀମାରୁ ଜଣେ ପାକିସ୍ତାନୀ ମହିଳା ଓ ତାଙ୍କ 11 ବର୍ଷୀୟ ପୁଅଙ୍କୁ ଗିରଫ କରାଯାଇଛି । ଅନ୍ତର୍ଜାତୀୟ ସୀମା ସୁରକ୍ଷାରେ ନିୟୋଜିତ ସଶସ୍ତ୍ର ସୀମା ବଳ (SSB) 41-ବାଟାଲିୟନର ଯବାନମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିବା ଏହି ମହିଳା ଓ ତାଙ୍କ ପୁଅଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ଗିରଫ କରିଛନ୍ତି । ଏମାନଙ୍କୁ ପ୍ରାଥମିକ ଯାଞ୍ଚରୁ ଏମାନେ ପାକିସ୍ତାନୀ ନାଗରିକ ହୋଇଥିବା ସ୍ପଷ୍ଟ ହୋଉଛି । ଉଭୟଙ୍କୁ ସ୍ଥାନୀୟ ପୋଲିସକୁ ଏସଏସବି ହସ୍ତାନ୍ତର କରିଛି ।
ସୂଚନା ଅନୁସାରେ, ଗତକାଲି (ବୁଧବାର) ରାତିରେ ଉଭୟ ମହିଳା ଓ ତାଙ୍କ ପୁଅ ଭାରତ-ନେପାଳ ସୀମାରୁ କିଶନଗଞ୍ଜରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଉଭୟଙ୍କ ଗତିବିଧି ନେଇ ସନ୍ଦେହ ହେବାରୁ ସେଠାରେ ନିୟୋଜିତ ଥିବା ଏସଏସବି ଯବାନ ଉଭୟଙ୍କୁ ଯାଞ୍ଚ କରିଥିଲେ । ଉଭୟଙ୍କ ନିକଟରୁ ପାକିସ୍ତାନୀ ପାସପୋର୍ଟ ଓ ଅନ୍ୟ କିଛି କାଗଜପତ୍ର ଜବତ ହୋଇଛି । ସେମାନେ ପାକିସ୍ତାନୀ ଓ ଗତ କିଛି ମାସ ତଳେ ନେପାଳ ଆସିଥିଲେ । ସେଠାରୁ ସେ ଭାରତରେ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ସୀମା ନିକଟବର୍ତ୍ତୀ ହୋଇଥିଲେ । ମାତ୍ର ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରି ନଥିଲେ । ତେବେ ସେମାନେ କେଉଁ ଉଦ୍ଦେଶ୍ୟରେ ଭାରତରେ ଅନୁପ୍ରବେଶ କରୁଥିଲେ, ସେନେଇ କିଛି ସ୍ପଷ୍ଟ ହୋଇନି । ଉଭୟଙ୍କ ନିକଟରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଥିବାର ସୂଚନା ନାହିଁ ।