ନୂଆଦିଲ୍ଲୀ:ଦେଶରେ କୋରୋନା ମହାମାରୀ ପରିଚାଳନା ପାଇଁ ମୋଦି ସରକାରଙ୍କ 5ଟି ପ୍ରସ୍ତାବକୁ ପାକିସ୍ତାନ ସହିତ ଅନ୍ୟ ପଡୋଶୀ ଦେଶ ପ୍ରଶଂସା କରିଛନ୍ତି । ତେବେ ମୋଦି ଏହି ପ୍ରସ୍ତାବ ସମ୍ପର୍କରେ ଗୁରୁବାର କୋଭିଡ ପରିଚାଳନା ପାଇଁ ଆୟୋଜିତ ହୋଇଥିବା ଭର୍ଚ୍ଚୁଆଲ କର୍ମଶାଳାରେ କହିଛନ୍ତି ।
'କୋଭିଡ ପରିଚାଳନା, ଅଭିଜ୍ଞତା, ଭଲ ଅଭ୍ୟାସ ଏବଂ ଆଗକୁ ବଢିବା' ବିଷୟବସ୍ତୁ ଥିବା କର୍ମଶାଳାରେ ଯୋଗ ଦେଇ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ସ୍ବତନ୍ତ୍ର ଭିସା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଏହି ଭିସା ଦ୍ବାରା ଡକ୍ଟର ଓ ନର୍ସମାନେ ଦେଶର ବିଭିନ୍ନ ଅଞ୍ଚଳକୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଗମନାଗମନ କରିପାରିବେ ।
ଏହାସହିତ ମେଡିକାଲ ପରିସ୍ଥିତି ପାଇଁ ଆଞ୍ଚଳିକ ଏୟାର ଆମ୍ବୁଲାନ୍ସ ସୁବିଧା ଯୋଗାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି । ଭାରତରେ ଦେଶବାସୀଙ୍କୁ ଦିଆଯାଇଥିବା କୋଭିଡ଼ ଟିକାର ପ୍ରଭାବ ସମ୍ପର୍କରେ ଆଞ୍ଚଳିକ ସ୍ଥାନରେ ତଥ୍ୟ ସଂଗ୍ରହ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଭବିଷ୍ୟତରେ ଏଭଳି ମାରାତ୍ମକ ମହାମାରୀରୁ ବର୍ତ୍ତିବା ପାଇଁ ଏକ ଜନସଚେତନତା ସୃଷ୍ଟି କରିବା ପାଇଁ ମୋଦି କହିଛନ୍ତି ।