ନୂଆଦିଲ୍ଲୀ: ଭାରତରେ ମହାମାରୀ କୋରୋନାର କରାଳ ରୂପ ଦେଖିବାକୁ ମିଳିଛି । ଦେଶରେ କୋରୋନା ସ୍ଥିତି ଅଣାୟତ ହୋଇଛି।ଏପରି ସମୟରେ ଭାରତକୁ ସମବେଦନା ଜଣାଇଛନ୍ତି ବିଭିନ୍ନ ଦେଶ । ପାକିସ୍ତାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ ପ୍ରମୁଖ ଦେଶ ଭାରତକୁ ସମବେଦନା ଜଣାଇବା ସହ ଏପରି ସ୍ଥିତିରେ ଭାରତ ସହ ଛିଡା ହୋଇଥିବା କହିଛନ୍ତି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଏପରି ସମୟରେ ଭାରତକୁ ସମବେଦନା ଜଣାଇବା ସହ ସମସ୍ତ ସହଯୋଗ ପାଇଁ ପାକସ୍ତାନ ପ୍ରସ୍ତୁତ ଥିବା କହିଛନ୍ତି । ଭାରତ ସମେତ ବିଶ୍ବର ବିଭିନ୍ନ ରାଷ୍ଟ୍ର ଏବେ ମହାମାରୀ ବିରୋଧରେ ଯୁଦ୍ଧ ଲଢୁଛନ୍ତି । ବିଭିନ୍ନ ଦେଶରେ ଅନେକ ଆକ୍ରନ୍ତ ଏବେ ଚିକିତ୍ସାଧିନ ଅଛନ୍ତି । ସେମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ଇମ୍ରାନ ।ବର୍ତ୍ତମାନ ବିଶ୍ବ ଏକ ମହାମାରୀ ସହ ଲଢୁଛି । ଏହା ଏକ ମହାମୁକାବିଲା ପରିସ୍ଥିତି ସୃଷ୍ଟି କରିଛି । ଏପରି ସ୍ଥଳେ ସମସ୍ତ ଦେଶ ମାନବତା ପାଇଁ ଲଢେଇ ଜାରି ରଖିବା ଉଚିତ ବୋଲି କହିଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।
ଅଷ୍ଟ୍ରେଲିଆ ମଧ୍ୟ ଭାରତର ଏପରି ଦୁର୍ଦ୍ଦିନରେ ଭାରତ ସହ ଛିଡା ହୋଇଥିବା କହିଛି । ଭାତର କୋରୋନାର ଦ୍ବିତୀୟ ଲହର ଘାତକ ହୋଇଥିବାବେଳେ ଭାରତ ତାର ପୁରା ସାମର୍ଥ୍ୟ ଲଗାଇ ଏହାର ମୁକାବିଲା କରୁଛି । ଏପରି ସମୟରେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ସହ ଛିଡା ହୋଇଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ଭାରତକୁ ବନ୍ଧୁ ରାଷ୍ଟ୍ର ବୋଲି ସମ୍ବୋଧନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏହି କୋଭିଡ ଲଢେଇ ଲଢିବାକୁ ଅଷ୍ଟ୍ରେଲିଆ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ସ୍କଟ ମୋରିଶନ ।
ସେହିପରି ଫ୍ରାନ୍ସ ମଧ୍ୟ ଏପରି ସମୟରେ ଭାରତକୁ ସମେବଦନା ଜଣାଇବା ସହ ଭାରତ ସହ ରହିଥିବା କହିଛି । ଏହି ମହାମାରୀ ଲଢେଇରେ ଭାରତକୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକର୍ନ । ଭାରତ କୋଭିଡ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢୁଛି । ଏପରି ସମୟରେ ଭାରତ ସହ ଫ୍ରାନ୍ସ ରହିଛି ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ରାଷ୍ଟ୍ରପତି ମାର୍କନ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ