ଶିମଲା: ହିମାଚଳ ପ୍ରଦେଶ ଶିମ୍ଲା ଜିଲ୍ଲାର ରାମପୁର ଅଞ୍ଚଳରୁ ପାକିସ୍ତାନୀ ନୋଟ୍ ମିଳିଛି । ଏହା ରାମପୁର ନିକଟବର୍ତ୍ତୀ ନାନ୍ଖଡିର ଟିକ୍କରୀ ଗାଁରେ ଏକ ଫାଟିଯାଇଥିବା ବେଲୁନ୍ ସହିତ ବନ୍ଧା ହୋଇଥିବା ଅବସ୍ଥାରେ ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ ବେଲୁନଟି ଏକ ଜମିରୁ ମିଳିଥିଲା । ଏହି ବେଲୁନରେ ଲାଗିଥିବା ଫିତାରେ ପାକିସ୍ତାନର 10 ଟଙ୍କିଆ ନୋଟ ବନ୍ଧା ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ ସେହି ଜମିର ମାଲିକ ଓମ୍ ପ୍ରକାଶଙ୍କ କହିବା ମୁତାବକ ସେ ନିଜ ମାଆଙ୍କ ସହ ବିଲରେ କାମ ସାରି ଖାଇବାକୁ ବସିଥିଲେ । ଏହି ସମୟରେ ତାଙ୍କୁ ଏକ ଫାଟିଯାଇଥିବା ବେଲୁନ ଦେଖିବାକୁ ମିଳିଥିଲା । ଏଥିରେ 10 ଟଙ୍କିଆ ପାକିସ୍ତାନୀ ନୋଟ ଲାଗିଥିଲା । ଏହା ଦେଖିବାପରେ ସେ ନୀରଥ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚଙ୍କୁ ଏନେଇ ସୂଚନା ଦେଇଥିଲେ । ଏନେଇ ଶୁକ୍ରବାର ସନ୍ଧ୍ୟାରେ ନୀରଥ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ପ୍ରେମ ଚୌହାନ ନାନ୍ଖଡି ଥାନାକୁ ଫୋନ କରି ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ନାନ୍ଖଡ଼ି ଗ୍ରାମରେ ପହଞ୍ଚି ସେହି ବିଲରୁ ପାକିସ୍ତାନୀ ନୋଟ ଜବତ କରିଥିଲା । ନୋଟରେ ଷ୍ଟେଟ୍ ବ୍ୟାଙ୍କ ଅଫ ପାକିସ୍ତାନ NO BZD5522554 ମାର୍କ ରହିଛି ।